ସହରାଞ୍ଚଳରେ ଡ୍ରେନେଜ୍ ସମସ୍ୟା : ଡ୍ରେନରୁ ତୁରନ୍ତ ଜବରଦଖଲ ହଟାଇବାକୁ ବିଧାନସଭା ଗୃହ କମିଟିର ସୁପାରିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଗତ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ଏକ ମୁକୁଳା ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କର ମୃତ୍ୟୁକୁ ନେଇ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ କେବଳ ଟୁଇନସିଟିରେ ନୁହଁ ବରଂ ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ଡ୍ରେନ୍ ଏକ‌ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଲଗାଣ ବର୍ଷା ହେଲେ ପାଣି ଜମି ଯାଉଛି । ଏହା ଫଳରେ ଜନଜୀବନ ପ୍ରଭାବିତ ହେଉଛି। ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ଉପରେ ବିଧାନସଭା ଗୃହ କମିଟି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଏହି ବୈଠକରେ କଟକ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଭାବେ ଦୁଇ କମିଶନରଙ୍କ ଉପସ୍ଥିତିରେ ଏହି ବୈଠକରେ ଆଲୋଚନା ହୋଇଛି। ଗୃହ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଯେ, ଆଗକୁ ଯେମିତି ଏଭଳି ସମସ୍ୟା ନଉପୁଜେ ସେଥିପାଇଁ ପୌରାଞ୍ଚଳରେ ଡ୍ରେନ ଅବରୋଧ କରୁଥିବା ଜବରଦଖଲକୁ ତୁରନ୍ତ ହଟାଅ । ଏହାଛଡ଼ା ତ୍ୱରିତ ଜଳ ନିଷ୍କାସନ କରିବା ପାଇଁ ଡ୍ରେନ ନିର୍ମାଣର ଡିଜାଇନ ବଦଳାଇବା ପାଇଁ କମିଟି ସୁପାରିଶ କରିଛି। ଏହା ବ୍ୟତୀତ ମୁକୁଳା ଡ୍ରେନ୍‌ ଉପରେ ସ୍ଳାବ ପକାଇବା ଉପରେ ମଧ୍ୟ କମିଟି ଗୁରୁତ୍ୱ ଦେଇଛି । 

ଗତକାଲି ନଗର ଉନ୍ନୟନ ବିଭାଗ ସଂପର୍କିତ ବିଧାନସଭା ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଡ୍ରେନେଜ୍‌ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକର ନିଷ୍କର୍ଷ ହେଉଛି ଯେ, ରାଜ୍ୟର ଅଧିକାଂଶ ପୌରାଞ୍ଚଳରେ ପ୍ରାକୃତିକ ନାଳକୁ ଜବରଦଖଲ କରାଯାଇଛି । ଡ୍ରେନ୍‌କୁ ଜବରଦଖଲ କରି ସ୍ଥାୟୀ ନିର୍ମାଣ ହୋଇଛି ଯାହା ଫଳରେ ଜଳ ନିଷ୍କାସନ ହୋଇପାରୁ ନାହିଁ । ତେଣୁ ତୁରନ୍ତ ଜବରଦଖଲ ହଟାଇବା ଦିଗରେ ବିଭାଗ ପଦକ୍ଷେପ ନେବାକୁ ଗୃହ କମିଟି ସୁପାରିଶ କରିଛି । 

Related Posts