ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୫୦୦ ଓ ପିଆଜ କିଲୋ ୪୦୦ ଟଙ୍କା

ଲାହୋର୍‌: ପାକିସ୍ତାନ ରେ ପ୍ରଳୟଙ୍କରୀ ବନ୍ୟା ରଚିଛି ତାଣ୍ଡବ । ତା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲାହୋର୍‌ ଏବଂ ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ପ୍ରାନ୍ତରେ ପନିପରିବା ଓ ଫଳଫୁଲୁରୀ ଖୁବ୍‌ ମହଙ୍ଗା ହେବାରେ ଲାଗିଛି । ପାକିସ୍ତାନ ସରକାର ଭାରତରୁ ଟମାଟୋ ଓ ପିଆଜ ଆମଦାନି କରି ପାରେ ବୋଲି ‘ମାର୍କେଟ୍‌ ଡିଲର୍‌’ମାନେ କହୁଛନ୍ତି।

ଲାହୋର୍‌ ବଜାରର ଅନ୍ୟତମ ପାଇକାରୀ ଡିଲର୍‌ ଜୱାଦ୍‌ ରିଜ୍‌ୱି କହିଛନ୍ତି, ରବିବାର ଦିନ ଲାହୋର ବଜାରରେ ଟମାଟୋ କିଲୋ ୫୦୦ ଟଙ୍କା ଓ ପିଆଜ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଥିଲା। ବନ୍ୟା ପ୍ରପୀଡ଼ିତ ବାଲୋଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରେ ଫସଲ ନଷ୍ଟ ହୋଇ ଯାଇଛି। ତେଣୁ, ସେଠାରୁ ପନିପରିବା ଯୋଗାଣ ବାଧା ପାଇଥିବାରୁ ଆଗକୁ ସେ ସବୁର ଦର୍‌ଦାମ୍‌ ଆହୁରି ବୃଦ୍ଧି ପାଇବ।

ଆଗକୁ ପିଆଜ ଓ ଟମାଟୋ କିଲୋ ୭୦୦ ଟଙ୍କା ଟପିଯିବାର ଆଶଙ୍କା ଅଛି। ସେହିପରି, ଆଳୁ କିଲୋ ମଧ୍ୟ ୪୦ ଟଙ୍କାରୁ ବୃଦ୍ଧି ପାଇ ୧୩୦ ଟଙ୍କା ହୋଇଯାଇଛି ବୋଲି ରିଜ୍‌ୱି କହିଛନ୍ତି।

ତେଣୁ, ପାକିସ୍ତାନ ସରକାର ୱାଘା ସୀମାନ୍ତ ବାଟେ ଭାରତରୁ ପିଆଜ ଓ ଟମାଟୋ ଆମଦାନି କରିବେ ବୋଲି ବିଚାର କରୁଛନ୍ତି। ଅବଶ୍ୟ ଏବେ ତୋର୍‌ଖାମ୍‌ ସୀମାନ୍ତ ବାଟେ ଆଫଗାନିସ୍ତାନରୁ ପଞ୍ଜାବର ଲାହୋର ଓ ଅନ୍ୟାନ୍ୟ ନଗରୀକୁ ଟମାଟୋ ଓ ପିଆଜ ଆସୁଛି।

ଏହାଛଡ଼ା, ବନ୍ୟା ଯୋଗୁଁ କ୍ୟାପ୍‌ସିକମ୍‌ ଭଳି ପରିବା ମଧ୍ୟ ବଜାରରେ ମିଳୁନାହିଁ। ଖଜୁରି ଓ ପାଚିଲା କଦଳୀ ବଗିଚା ବନ୍ୟାରେ ନଷ୍ଟ ହୋଇ ଯାଇଥିବାରୁ ସେସବୁ ମଧ୍ୟ ଚଢ଼ା ଦରରେ ବିକ୍ରୟ ହୋଇପାରେ। ବାଲୋଚିସ୍ତାନରୁ ସେଓ ଯୋଗାଣ ମଧ୍ୟ ବାଧା ପାଇଛି।

Related Posts