ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ପାଇଁ ଥିଲା ୮୦୦ କୋଟିର ବଜେଟ୍, ତଥାପି ଫେଲ୍ ମାରିଲା ବିଜେପି: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି କେଜ୍ରିୱାଲ ସରକାର। ଆଜି ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରକୁ ତେରଛା ବାଣ ମାରିଛନ୍ତି I ଏହି ପ୍ରସ୍ତାବ ଉପସ୍ଥାପନ ବେଳେ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ ମାରିଛି I ଆମେ ବିଧାନସଭାରେ ଏହି ପ୍ରସ୍ତାବ ଏଥିପାଇଁ ଆଣିଛୁ କି ପାର୍ଟି ପ୍ରତି ଆମ ସଦସ୍ୟ କେତେ ସମର୍ପିତ ତାହା ଜଣା ପଡିବ I ପ୍ରତ୍ୟେକ ଆମ୍ ଆଦମୀ ପାର୍ଟି (ଆପ) କର୍ମୀ ଓ ବିଧାୟକ ଦଳ ସହ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସରକାରକୁ ହଟାଇବା ପାଇଁ ବିଜେପି ଆରମ୍ଭ କରିଥିବା ‘ଅପରେସନ୍ ଲୋଟସ୍’ ବିଫଳ ହୋଇଛି କାରଣ ବିଜେପି କୌଣସି ଆପ ବିଧାୟକଙ୍କୁ କିଣିବାରେ ସଫଳ ହୋଇ ନାହିଁ I ଆପ ସରକାର ଭାଙ୍ଗିବା ପାଇଁ କିଛି ବିଧାୟକଙ୍କୁ ବିଜେପି ୨୦କୋଟି ଟଙ୍କା ଲେଖାଏଁ ଅଫର କରୁଥିଲା ଏବଂ ଏଥିପାଇଁ ୮୦୦ କୋଟି ଟଙ୍କା ର ବଜେଟ୍ ରଖାଯାଇଥିଲା, କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

ତେବେ ଗତ ସପ୍ତାହରେ ଆମ ଆଦମୀ ପାର୍ଟର ବିଧାୟକ ଦଳ ବୈଠକରେ ୫୩ ଜଣ ବିଧାୟକ ସାମିଲ ହେବା ପରେ ଏହାକୁ ନେଇ ବିଜେପି ଅଭିଯୋଗ ଆଣିଥିଲା ଯେ ଆପ୍ ସରକାରର ବହୁମତ ନାହିଁ । ଏହାପରେ ଆପ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଜି ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଇଛନ୍ତି। ବର୍ତ୍ତମାନ ୭୦ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳ ବିଜେପି ପାଖରେ ଅଛନ୍ତି ୮ ବିଧାୟକ ।

Related Posts