ଦିଲ୍ଲୀ ଉପରାଜ୍ୟପାଳଙ୍କ ନାମରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଲେ ଆପ ବିଧାୟକ ଦୁର୍ଗେଶ ପାଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ଦିଲ୍ଲୀ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଚାଲିଛି। ଏହି ଅଧିବେଶନରେ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ବିଧାନସଭାରେ ସେ ଦାବି କରିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଖଦୀ ଗ୍ରାମ୍ୟ ଇଣ୍ଡଷ୍ଟ୍ରିଜ୍‌ରେ ମୁଖ୍ୟ ଥିବା ସାକ୍ସେନା କଳା ଟଙ୍କାକୁ ଧଳାରେ ପରିଣତ କରିଛନ୍ତି। ଏହାର ସିବିଆଇ-ଇଡି ଯାଞ୍ଚ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁର୍ଗେଶ ଦାବି କରିଛନ୍ତି। ଏନେଇ ସମସ୍ତ ବିଧାୟକ ପ୍ରଥମେ ବିଧାନସଭା ଭିତରେ ଏବଂ ପରେ ବାହାରେ ପୋଷ୍ଟର ଏବଂ ବ୍ୟାନର ଧରି ପ୍ରଦର୍ଶନ କରିଥିଲେ। ଏଥିରେ ବିନୟ ସାକ୍ସେନା ଚୋର, ବିନୟ ସାକ୍ସେନାଙ୍କୁ ଗିରଫ କର’ ଭଳି ସ୍ଲୋଗାନ ଲେଖାଯାଇଥିଲା।

ସୋମବାର ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୁର୍ଗେଶ କହିଛନ୍ତି ଯେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ଖଦୀ ନାମରେ ଏହି ଦୁର୍ନୀତି ହୋଇଛି। ମୁଁ ବହୁତ ଦୁଃଖ ଓ ଲଜ୍ଜାର ସହିତ କହୁଛି ଯେ ଯେତେବେଳେ ଉପରାଜ୍ୟପାଳ ଖଦୀର ଅଧ୍ୟକ୍ଷ ଥିଲେ ସେତେବେଳେ ଏହି ଦୁର୍ନୀତି ଘଟିଛି।ଦୁର୍ନୀତି ଅଭିଯୋଗରେ ଦୁର୍ଗେଶ କହିଛନ୍ତି ଯେ ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଛି କିନ୍ତୁ ଏଥିରେ ସାକ୍ସେନାଙ୍କ ନାମ ଲେଖାଯାଇ ନାହିଁ। ସେ କହିଛନ୍ତି ଯେ ସିବିଆଇ ପକ୍ଷରୁ ଏନେଇ କୌଣସି ଚଢ଼ାଉ କିମ୍ବା ପଚରାଉଚରା କରାଯାଇ ନାହିଁ। ଯେଉଁମାନେ ଏହି ଦୁନୀତିର ପର୍ଦ୍ଦାଫାଶ୍‌ କରିଥିଲେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ଆମେ ମହାଭାରତ ଏବଂ ରାମାୟଣର କାହାଣୀ ଶୁଣିଛୁ, ଯେଉଁଥିରେ କୁହାଯାଇଛି ଯେ ସତ୍ୟ କେବେ ହାରେ ନାହିଁ। କିନ୍ତୁ ଏହି କ୍ଷେତ୍ରରେ ସତ୍ୟ ହାରୁଥିବା ଜଣାପଡୁଛି। ଦୁର୍ଗେଶ କହିଛନ୍ତି, ମୁଁ ଏହି ବିଧାନସଭା ମାଧ୍ୟମରେ ଦାବି କରୁଛି ଯେ ସାକ୍ସେନାଙ୍କ ନାମ ସିବିଆଇ ଏଫଆଇଆରରେ ଅନ୍ତର୍ଭୂକ୍ତ କରାଯାଉ। ସେମାନଙ୍କ ବିରୋଧରେ ଇଡି ଚଢ଼ାଉ କରାଯିବା ଉଚିତ।

Related Posts