ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର ଦିନ ସବରକରଙ୍କୁ ନେଇ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ତେବେ ଶନିବାର ଭାରତ ଯୋଡୋ ଯାତ୍ରାର ଏକ ମାସ ପୂର୍ତ୍ତି ଅବସରରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ସବରକରଙ୍କୁ ନେଇ କଡା ଟିପ୍ପଣୀ ଦେଇ କହିଥିଲେ ଯେ, ଭାରତର ସ୍ଵାଧୀନତା ସଂଗ୍ରାମରେ କଂଗ୍ରେସ ସବୁବେଳେ ଇଂରେଜ ମାନଙ୍କ ଶାସନ ବିରୋଧରେ ଲଢି ଆସିଥିଲା। ଏଥିପାଇଁ ବହୁ କଂଗ୍ରେସ ନେତା ବର୍ଷ ବର୍ଷ ପାଇଁ ଜେଲ ମଧ୍ୟ ଯାଇଥିଲେ। ହେଲେ ଆରଏସଏସ ସବୁବେଳେ ଇଂରେଜ ମାନଙ୍କୁ ସାହାଯ୍ୟ କରି ଆସୁଥିଲା। ବିଜେପି ଓ ଆରଏସଏସର ଆଦର୍ଶ ସବରକର ଇଂରେଜ ମାନଙ୍କ ଠାରୁ ଟଙ୍କା ନେଉଥିଲେ ବୋଲି ରାହୁଲ ଗାନ୍ଧୀ କହିଥିଲେ।

ରାହୁଲଙ୍କ ଏହି ବୟାନକୁ ନେଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ସେ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ ଭାରତର ଇତିହାସ ଜଣାନାହିଁ। ରାହୁଲ ସବରକରଙ୍କୁ ନେଇ ଦେଇଥିବା ବୟାନକୁ ମୁଁ ଦୃଢତାର ସହ ନିନ୍ଦା କରୁଛି ବୋଲି ଫଡନାଭିସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାବରକରଙ୍କର ସମର୍ଥନରେ ବହୁ ସଂଖ୍ୟକ ଲୋକ ରହିଥିଲେ। ସେଥିପାଇଁ ସ୍ୱାଧୀନତା ପରେ କଂଗ୍ରେସ ଉଦ୍ଦେଶ୍ୟମୂଳକ ଭାବେ ସାବରକରଙ୍କୁ ଅନେକ ଥର ଅପମାନିତ କରିଛି।

ଫଡନାଭିସ ଆହୁରି କହିଛନ୍ତି ଯେ, ସାବରକର ଆଣ୍ଡାମାନର ସେଲୁଲାର ଜେଲରେ ୧୧ ବର୍ଷ ପାଇଁ ‘କଳା ପାଣି’ ଦଣ୍ଡ ଭୋଗିଥିଲେ। ଏହି ଦଣ୍ଡ ବହୁତ କମ୍ ସ୍ୱାଧୀନତା ସଂଗ୍ରାମୀ ପାଇଛନ୍ତି। ସାବରକର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲେ, ସେ ଦେଶ ସ୍ଵାଧୀନତା ପାଇଁ ବୈପ୍ଲବିକ ଆନ୍ଦୋଳନ ଗଠନ କରିଥିଲେ ଏବଂ ବ୍ରିଟିଶମାନଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହୋଇଥିଲେ । ସେ ଇଂରେଜ ମାନଙ୍କ ଠାରୁ ଦଣ୍ଡାଦେଶ ପାଇ ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବିଷୟରେ ଚିନ୍ତା କରିଥିଲେ ବୋଲି ଫଡନାଭିସ୍ କହିଛନ୍ତି।