(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଲଘୁ ଖଣିଜସମ୍ପଦ ପରିଚାଳନା ଯୋଜନା ଗ୍ରାଉଣ୍ଡ ଜିରୋରେ ବିଫଳ ହେଉଥିବା ଦେଖାଦେଉଛି। ରାଜ୍ୟ ସରକାର ଲଘୁ ଖଣିଜସମ୍ପଦର ସୁପରିଚାଳନା ପାଇଁ ଆଇନ୍‌ରେ ସଂଶୋଧନ କରୁଛନ୍ତି କିନ୍ତୁ ତଳ ସ୍ତରରେ ଏହାର ଓଲଟା ପରିଣାମ ଦେଖିବାକୁ ମିଳୁଛି। ଆଇନ୍ ସଠିକ୍ ଦିଗରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ବିଫଳତାର ଫାଇଦା ଉଠାଉଛନ୍ତି ଖଣି ମାଫିଆ। ଗୋଟିଏ ପଟେ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ଅନ୍ୟ ପଟେ ମାଫିଆମାନଙ୍କ ସହିତ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଲାଭଵାନ ହେଉଛନ୍ତି। 

ଏହାର ଏକ ଉଦାହରଣ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ୨୯ଟି ଲଘୁ ଖଣିଜ ସମ୍ପଦ ସୈରାତ ନିଲାମ ପ୍ରକ୍ରିୟା। ଦୀର୍ଘ ୮ ମାସ ଧରି ଏହି ଲଘୁ ଖଣିଜ ସମ୍ପଦର ନିଲାମ ଚାଲୁରହିବା ହେଉଛି ଅନିୟମିତତାର ଏକ ଜ୍ବଳନ୍ତ ଉଦାହରଣ। ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟପଟେ ବେଆଇନ୍‌ ଖାଦାନ ଓ କ୍ରସର୍‌ ମାଫିଆଙ୍କ କବ୍‌ଜାରେ ରହିଛି। ମାଫିଆମାନେ କୋଟି କୋଟି ଟଙ୍କାର ଖଣିଜ ପଦାର୍ଥ ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି। ତେବେ ଏ ସବୁ ଦେଖି ଜଙ୍ଗଲ ଓ ପରିବେଶ ବିଭାଗ ନିରବ ରହୁଥିବାବେଳେ ସରକାର ରାଜସ୍ବ ହରାଉଛନ୍ତି।

ଗତ ଆର୍ଥିକବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ଧର୍ମଶାଳା ତହସିଲର ୨୭ଟି ସୈରାତର ନିଲାମ ପାଇଁ ଟେଣ୍ଡର ବାହାରିଥିଲା। ଟେଣ୍ଡର ପ୍ରକାଶ ପାଇବର ଚାରି ମାସ ପର୍ଯ୍ୟନ୍ତ ଟଣାଓଟରା ଲାଗି ରହିଲା। ଶେଷରେ ମାତ୍ର ୨ଟି ସୈରାତ ନିଲାମ ଚୂଡାନ୍ତ ହୋଇଥିଲା। ରଦ୍ଦ ହୋଇଥିବା ସୈରାତ ସହିତ ମୋଟ ୨୯ଟି ସୈରାତର ନିଲାମ ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଲା। ସେଥିରେ ଅଞ୍ଜିରା(ବାଘୁଆ) ମୌଜାର ୫ଟି, ବିଛାଖଣ୍ଡି-୪ଟି, ବାଜବାଟି-୨ଟି, ବରଡ଼ା-୩ଟି, ରାହାଡ଼ପୁର-୯ଟି, ଆରୁହା-୩ଟି ଓ ଡଙ୍କାରୀର ଗୋଟିଏ କଳାପଥର ସୈରାତ ସହିତ ୨ଟି ବାଲିଘାଟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଖାଦାନଗୁଡ଼ିକ ଖନନ ପାଇଁ ଲିଜଧାରୀଙ୍କୁ ହସ୍ତାନ୍ତର ହୋଇନାହିଁ। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ଖନନ ‌ଆରମ୍ଭ ହୋଇପାରେ ‌ବୋଲି ଲିଜ୍‌ଧାରୀମାନେ ଆଶା ରଖିଛନ୍ତି। ଏବେ ବି ମାଇନିଂ ପ୍ଲାନ ଓ ଅନୁମୋଦନ ପ୍ରକ୍ରିୟା ଚାଲିଛି। ମାତ୍ର ନୂତନ ଲଘୁ ଖଣିଜ ସମ୍ପଦ ଆଇନ୍ ବ୍ୟବସ୍ଥାରେ ଦେଢ଼ବର୍ଷ ପୂର୍ବରୁ କ୍ଲଷ୍ଟର୍ କରି ସମସ୍ତ ସରକାରୀ ପ୍ରକ୍ରିୟା ଶେଷ କରି ନିଲାମ କରାଯିବ ବୋଲି କୁହାଯାଇଥିଲା। 

ନିଲାମ ପରେ ଲିଜଧାରୀ ମାନେ ସିଧାସଳଖ ଖନନ କରିବେ, ଏଥିପାଇଁ ଆଉ କୌଣସି କାର୍ଯ୍ୟାଳୟକୁ ଦୈାଡ଼ିବାକୁ ପଡିବ ନାହିଁ। କିନ୍ତୁ ଏହାର ଓଲଟା ଘଟିଛି। ଏବେ ବି ପରିବେଶ ବିଭାଗ, ଖଣି ବିଭାଗ, ତହସିଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲିଜଧାରୀ ମାନେ ଦୈାଡ଼ି ଦୈାଡ଼ି ନୟାନ୍ତ ହୋଇ ପଡିଛନ୍ତି ।

ତେବେ ଲିଜ୍‌ ପ୍ରକ୍ରିୟା ଶେଷ ହୋଇନଥିବାରୁ ଏହାର ସୁଯୋଗ ଉଠାଉଛନ୍ତି ଖଣି ମାଫିଆ। ବେଆଇନ୍ କ୍ରସର ଯୋଗେ  କୋଟି କୋଟି ଟଙ୍କାର ଚୋରା ପଥର ଭଙ୍ଗା ଚାଲିଛନ୍ତି। ଏହାରି ମଧ୍ୟରେ ପ୍ରଶାସନ ରାହାଡ଼ପୁର, ବାଘୁଆରୁ ବେଆଇନ ଖାଦାନ ଚାଲିଥିବ ବେଳେ ଚଢ଼ଉ କରି ଗାଡ଼ି ଜବତ କରି ଶ୍ରମିକ ଓ ବେଆଇନ୍ କାରବାରକୁ ବିରୋଧ କରୁଥିବା ଯୁବକଙ୍କୁ ଗିରଫ କରୁଛି କିନ୍ତୁ ବେଆଇନ ଖାଦାନ ଓ କ୍ରସର ମାଲିକଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନାହିଁ। ଏତେ ସବୁ ଘଟିବା ପରେ ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିରବତା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟି କୋଟି ଟଙ୍କାର ରାଜସ୍ବ ହରିଲୁଟ ଚାଲିଥିବା ବେଳେ ଜରିମାନା ଆଳରେ ମାଫିଆଙ୍କୁ ତହସିଲ ଓ ପୁଲିସ ପ୍ରୋତ୍ସାହନ ଯୋଗାଇ ଚାଲିଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସରକାରଙ୍କର ଲଘୁ ଖଣିଜ ସମ୍ପଦ ଆଇନ୍ କଡାକଡ଼ି ପାଳନ କରିବ କିଏ? ପରିବେଶ ସୁରକ୍ଷା ରହିବ କିପରି ?