କରୋନାରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଗାୟକ ପଦ୍ମ ଭୂଷଣ ରାଜନ ମିଶ୍ରଙ୍କର ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଖ୍ୟାତିନାମା ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ରାଜନ ମିଶ୍ରଙ୍କ ନୂଆଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ କରୋନରେ ଦେହାନ୍ତ ହୋଇଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ସେ ହୃଦଘାତର ଶୀକାର ମଧ୍ୟ ହୋଇଥିଲେ । ଭେଣ୍ଟିଲେଟରର ସହାୟତା ଆବଶ୍ୟକ ପଡିବାରୁ ତାଙ୍କୁ ଷ୍ଟିଫେନ୍ ହସ୍ପିଟାଲରୁ ଗଙ୍ଗାରାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ, ପଣ୍ଡିତ ରାଜନ ମିଶ୍ରଙ୍କ ଦେହାବସାନ କଳା ଓ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଦେହାନ୍ତରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ଅଖେଳଶ ଯାଦବ କହିଛନ୍ତି ଯେ , ତାଙ୍କର ଶାସ୍ତ୍ରୀୟ ସଙ୍ଗୀତ ଚିରଦିନ ପାଇଁ ଅଭୁଲା ହୋଇ ରହିବ । ସେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ସାନ ଭାଇ ସାଜନ ମିଶ୍ର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଖିଆଲ ଶୈଳୀର ପାରଙ୍ଗମ ଥିଲେ । ୧୯୭୮ ମସିହାରେ ଶ୍ରୀଲଙ୍କାରେ ତାଙ୍କର ପ୍ରଥମ କନ୍ସର୍ଟ କରିଥିଲେ । ଏବଂ ପରେ ଜର୍ମାନୀ, ସୁଇଜରଲ୍ୟାଣ୍ଡ , ସିଙ୍ଗାପୁର ସମେତ ଅନେକ ଦେଶରେ ସଙ୍ଗୀତ ପରିବେଷଣ କରିଥିଲେ । ପଣ୍ଡିତ ରାଜନ ମିଶ୍ର ୧୯୫୧ ମସିହାରେ ଉତ୍ତରପ୍ରଦେଶର ବାରଣାସୀରେ ଏକ ସଂଗୀତ ମନଷ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ତାଙ୍କ ଦାଦା ପଣ୍ଡିତ ବାଦେ ରାମ ଦାସ ମିଶ୍ରଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କୁ ୨୦୦୭ ରେ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ରାଜନ ମିଶ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ,ଗନ୍ଧର୍ବ ଜାତୀୟ ପୁରସ୍କାର ଓ ଜାତୀୟ ତାନସେନ୍ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

Related Posts