ବେକାରଙ୍କୁ ମାସକୁ ୩୫୦୦ ଟଙ୍କାର ଭତ୍ତା, ରାଜସ୍ଥାନ ସରକାର କଲେ ବଡ଼ ଘୋଷଣା

ରାଜସ୍ଥାନରେ କଂଗ୍ରେସ ଚଳାଇଛି ଆଉ ଏକ ନିର୍ବାଚନୀ ଗୋଟି । ବେକାରୀ ସମସ୍ୟାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନ ସରକାର ଏ ଦିଗରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜସ୍ଥାନରେ କଂଗ୍ରେସ ସରକାର ବେରୋଜଗାର ଯୁବକଯୁବତୀଙ୍କ ପାଇଁ ମାସିକ ୩୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ।

ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ଟଙ୍କା ବେକାର ଯୁବକ ଯୁବତୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଆଗମୀ ୨ ବର୍ଷ ପାଇଁ ବେରାଜଗାର ଯୁବକ ଯୁବତୀଙ୍କୁ ଏହି ରାଶି ପ୍ରଦାନ କରିବେ ରାଜସ୍ଥାନ ସରକାର ।

ରାଜସ୍ଥାନ ନିର୍ବାଚନ ଜିତିବା ପରେ ବେକାର ଯୁବକ ଯୁବତୀଙ୍କୁ ମାସିକ ୩୫୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ନେଇ କଂଗ୍ରେସ ଘୋଷଣା କରିଥିଲା । ଏବେ ସର୍ବନିମ୍ନ ଆୟ ବା ବେସିକ୍‌ ଇନକମ୍‌ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ନିର୍ବାଚନୀ ବର୍ଷରେ କଂଗ୍ରେସ ସରକାର ଏହି ବଡ଼ ଘୋଷଣା କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଥିବା ବେଳେ ଯୋଜନାର ନାଁ ରଖାଯାଇଛି ‘ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବେରୋଜଗାର ଭତ୍ତା ୨୦୧୯’ । ଆଗାମୀ ୨ ବର୍ଷ ଧରି ବେକାର ଯୁବକ ଯୁବତୀଙ୍କୁ ମାସିକ ଦେୟ ବାବଦକୁ ମୋଟ ୮୪ ହଜାର କୋଟି ଟଙ୍କା ପ୍ରଦାନ କରିବେ ରାଜସ୍ଥାନ ସରକାର ।

ମୁଖ୍ୟତଃ ଗ୍ରାଜୁଏସନ(ସ୍ନାତକ) କରିଥିବା ଯୁବକଯୁବତୀ, ଯେଉଁମାନେ କୌଣସି ବି କମ୍ପାନୀରେ ଚାକିରି ପାଇ ନାହାଁନ୍ତି ସେମାନଙ୍କୁ ଏହି ଆର୍ଥିକ ସହାୟତା ମିଳିବ । ଆବେଦନକାରୀ ରାଜସ୍ଥାନର ମୂଳ ବାସିନ୍ଦା ହୋଇଥିବା ଦରକାର ।

ତେବେ ଗୋଟିଏ ପରିବାରରୁ ସର୍ବାଧିକ ୨ଜଣ ବେକାର ଯୁବକଯୁବତୀ ଏ ନେଇ ଆବେଦନ କରିପାରିବେ । ଯଦି କୌଣସି ଯୁବକଯୁବତୀ ସରକାରଙ୍କ ଅନ୍ୟ କୌଣସି ଯୋଜନାରେ କୌଣସି ବୃତ୍ତି ରାଶି ବା ଆର୍ଥିକ ସହାୟତା ପାଉଛନ୍ତି ସେମାନଙ୍କୁ ଏହି ଅର୍ଥ ରାଶି ମିଳିବ ନାହିଁ ।

Related Posts