ସାର ଅଭାବରୁ ଚାଷୀ ହନ୍ତସନ୍ତ : ବିନିକାରୁ ତିନି ଟ୍ରକ୍‌ ସାର ଜବତ କଲେ କଂଗ୍ରେସ କର୍ମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ଅଧିକ ସାରର ଆବଶ୍ୟକତା ରହିବ ବୋଲି କୃଷି ବିଶେଷଜ୍ଞ ମାନେ ସତର୍କ କରାଇଛନ୍ତି। କିନ୍ତୁ ସାର ଅଭାବ ଯୋଗୁଁ କୃଷକମାନେ ଚିନ୍ତିତ । ଏମିତିକି କେତେକ ସ୍ଥାନରେ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିନ୍ତୁ ଗତ କାଲି ସଂଧ୍ୟାରେ ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ ହୋଇଛି । ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ୩ଟି ଟ୍ରକକୁ ଅଟକାଇ ଯାଂଚ କରିଥିଲେ । 

ଏହି ତିନିଟି ଟ୍ରକରେ ୧ ହଜାର ବସ୍ତା ୟୁରିଆ ସାର ସମ୍ବଲପୁରରୁ ବୌଦ୍ଧ ଜିଲ୍ଲାର ବାଉଁଶୁଣିକୁ ଯାଉଥିବା ସେମାନେ ଜାଣିବାକୁ ପାଇଥିଲେ । ବିନିକା ବ୍ଲକ୍  ଯୁବ କଂଗ୍ରେସ କର୍ମୀ ପ୍ରଦୀପ ସେଠୀ ଓ ଅନ୍ୟମାନେ ଟ୍ରକକୁ ଅଟକାଇ ସାରବସ୍ତାକୁ ସ୍ଥାନୀୟ ଏକ ଡିଲରଙ୍କୁ ଦେଇଥିବା ସୂଚନା ମିଳିଛି। ରାଜ୍ୟରେ ସାର ଅଭାବକୁ ନେଇ ବିଧାନସଭାରେ ହଙ୍ଗାମା ହେଉଥିବା ବେଳେ ବିନିକାରେ ୩ଟି ଟ୍ରକରେ ଏତେ ପରିମାଣର ସାର ଚାଲାଣ ହେବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି। 

ଗୋଟିଏ ପଟେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଏପଟେ ସାରର କଳା ବଜାରୀ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମିତି ଘଟଣା କେବଳ ସୋନପୁରରେ ନୁହେଁ ବରଂ ନବରଙ୍ଗପୁର ଓ ଭଦ୍ରକ ବାସୁଦେବପୁରରୁ ମଧ୍ୟ ଏମିତି ଅଭିଯୋଗ ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ବଜାର କମିଟି ପରିସରରେ ଗୋଟିଏ ବସ୍ତା ୟୁରିଆ ସାର ନେବା ପାଇଁ ଚାଷୀମାନେ ଆଧାରକାର୍ଡ ଓ ଜମିପଟ୍ଟା ଲାଇନରେ ଲଗାଇଛନ୍ତି। ଜିଲ୍ଲାରେ ୪୫ ହଜାର ମେଟ୍ରିକ ଟନ୍ ୟୁରିଆର ଆବଶ୍ୟକ ଥିବାବେଳେ ଏଠାକୁ ଆସିଛି ମାତ୍ର ୨୫ ହଜାର ୩୫୮ ଟନ୍ ସାର । 

ଅପରପକ୍ଷରେ ଭଦ୍ରକ ବାସୁଦେବପୁରରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଚଢ଼ା ଦାମ୍‌ରେ ସାର ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଅସାଧୁ ସାର ବ୍ୟବସାୟୀ ନାମୀ ଦାମୀ ବ୍ରାଣ୍ଡ ନାଁରେ ନକଲି ସାର ବିକ୍ରିର ଜାଲ ବିଛାଇଛନ୍ତି । ଏହି ନକଲି ସାରକୁ ଜମିରେ ପକାଇଲେ ପାଣି ଉପରେ ଭାସୁଥିବା  ସ୍ଥାନୀୟ କୃଷକ ମାନେ ଅଭିଯୋଗ କରିଛନ୍ତି ।  ପାଣିପାଗ ବିଭାଗର ତଥ୍ୟ କହୁଛି ଚଳିତ ବର୍ଷ ଓଡ଼ିଶାର ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଅଗଷ୍ଟ ଅପେକ୍ଷା ଚଳିତ ମାସରେ ଅଧିକ ବର୍ଷାର ସମ୍ଭାବନା ରହିଛି ।

Related Posts