(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଶେଷଜ୍ଞ ମାନଙ୍କ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ଘୋଷଣା ହୋଇଛି ପିପିଲି ବିଧାନସଭା ଉପନିର୍ବାଚନ ତାରିଖ। ଚଳିତ ମାସର ଶେଷ ଆଡକୁ କରୋନାର ତୃତୀୟ ଲହର ସଂକ୍ରମଣ ବ୍ୟାପିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଉପନିର୍ବାଚନରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ଏକ ଚ୍ୟାଲେଞ୍ଜ ହେବ ।
ସୂଚନାଯୋଗ୍ୟ ଯେ, ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଗତବର୍ଷ ଅକ୍ଟୋବର ମାସରେ ଦେହାନ୍ତ ହୋଇଥିଲା । ପ୍ରଥମେ କରୋନାରେ ସଂକ୍ରମିତ ହେଵା ପରେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଗତ ୧୧ମାସରୁ ଅଧିକ ସମୟ ହେବ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରତିନିଧି ନାହାନ୍ତି ।
ଗତବର୍ଷ କରୋନା ମହାମାରୀ ମଧ୍ୟରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିବାବେଳେ ପିପିଲି ଉପ ନିର୍ବାଚନ କରୋନାର ଦ୍ବିତୀୟ ତରଙ୍ଗ ଯୋଗୁଁ ବିଳମ୍ବ ଘଟିଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।
କଂଗ୍ରେସ ପ୍ରାର୍ଥୀଙ୍କ କରୋନାରେ ଦେହାନ୍ତ ଯୋଗୁଁ ପିପିଲିରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ମତଦାନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ କେବଳ କଂଗ୍ରେସ ତାହାର ନୂଆ ପ୍ରାର୍ଥୀ ଦେଇଥିଲା ଏବଂ ପରେ ନିର୍ବାଚନ ପ୍ରଚାର ହୋଇଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର ଏତେ ଭୟଙ୍କର ହୋଇଥିଲା ଯେ ନିର୍ବାଚନ କମିଶନ ପିପିଲି ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ।
ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ତାରିଖରେ ଉପନିର୍ବାଚନର ଭୋଟଗ୍ରହଣ ହେବ ଓ ଅକ୍ଟୋବର ୩ରେ ଭୋଟ ଗଣତି ହେବ।
ତେବେ ବର୍ତ୍ତମାନ ସଭା ସମିତି ଓ ପ୍ରଚାର ଜମି ନଥିଲେ ମଧ୍ୟ ପିପିଲି ଦାୟିତ୍ୱରେ ବିଜେଡି ଓ ବିଜେପିର ଯେଉଁ ନେତାମାନଙ୍କୁ ଯେଉଁ ଅଞ୍ଚଳ ଦାୟିତ୍ବ ଦିଆଯାଇଛି ସେମାନଙ୍କୁ ସେହି ଅଞ୍ଚଳରେ ଦେଖିବାକୁ ମିଳୁଛି । ତେବେ ଗତ ଦୁଇ ଥରର ସରଗରମ ପ୍ରଚାର ବେଳେ ପିପିଲି ଡେଲାଙ୍ଗରେ ବହୁ ଲୋକ କରୋନା ସଂକ୍ରମିତ ହୋଇଥିଲେ। ଗତ ଦୁଇ ଥର ଭଳି ଏଥର ବି କରୋନା ପାଇଁ ପୁଣି ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।