ପେନସନ ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ ସାର୍, ମୃତ୍ୟୁର ୧୧ ବର୍ଷ ପରେ ଆସିଲା ରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କଥାରେ ଅଛି ବିଳମ୍ବିତ ନ୍ଯାୟ ,ନ୍ୟାୟ ନୁହେଁ। ନ୍ୟାୟ ଅପେକ୍ଷାରେ ୧୧ ବର୍ଷ ବିତିଗଲା, ଆଉ ଶେଷରେ ଦୁନିଆ ଛାଡ଼ି ଆରପାରିକୁ ଚାଲିଗଲେ। ଏବେ ୧୧ ବର୍ଷ ପରେ ତାଙ୍କୁ ନ୍ଯାୟ ମିଳିଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ସାଲେପୁର ଅଞ୍ଚଳର ସ୍ବର୍ଗତ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ମହାନ୍ତିଙ୍କ ସହ।

ଚାକିରୀରୁ ଅବସର ନେବାର ଦୀର୍ଘ ବର୍ଷ ପରେ ଅବସରକାଳଳୀନ ପ୍ରାପ୍ୟ ପାଇନଥିଲେ ଶ୍ରୀଯୁକ୍ତ ମହାନ୍ତି। ଟାଇମ ବାଉଣ୍ଡ ଆଡଭାନ୍ସମେଣ୍ଟ ସ୍କେଲ ହାରରେ ଦରମା ପାଇବା ଲାଗି ୧୯୯୯ ମସିହାରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୧୧ ନଭେମ୍ବର ୨୦୦୪ ରେ ପ୍ରଫୁଲଙ୍କ ଆବେଦନର ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଚାକିରି ଜୀବନର ୧୫ ବର୍ଷ ପୂରଣ ହୋଇଥିବାରୁ ତାଙ୍କର ଦରମା ଧାର୍ଯ୍ୟ ସହ ପେନସନ ଓ ଅବସରକାରୀଳନ ପ୍ରାପ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ଦେଖାଯାଇଥିଲା ଯେ, ଯେହେତୁ ଆବେଦନକାରୀ ଚାକିରିରୁ ଅବସର ନେଇସାରିଛନ୍ତି, ତେଣୁ ତାଙ୍କର ଦରମା ସ୍ଥିର ହେବ ଏବଂ ତାଙ୍କର ପେନସନ୍ ଶେଷ ଦରମା ଆଧାରରେ ହିସାବ କରାଯିବ, ଯେଉଁଥିରେ ନୋଟିସ ମିଳିବାର ସମସ୍ତ ପରିଣାମମୂଳକ ଲାଭ ସହିତ ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା।

ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ବିଡମ୍ବନାର ବିଷୟ ହେଉଛି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ୨୦୧୦ରେ ପ୍ରଫୁଲଙ୍କ ଦେହାନ୍ତ ହୋଇଯାଇଥିଲା ।

ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ପ୍ରଫୁଲଙ୍କ ୮୩ ବର୍ଷୀୟ ପତ୍ନୀ ମୀନଲତା ମହାନ୍ତି ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ହାଇକୋର୍ଟର ବେଞ୍ଚ ଶୁକ୍ରବାର ଦିନ ଶୁଣାଣି ସମୟରେ ବିଳମ୍ବିତ ପକ୍ରିୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହା ସହ ଆବେଦନକାରିଣୀଙ୍କୁ ଏକ ମାସ ମଧ୍ୟରେ ଅବସରକାଳୀନ ସମସ୍ତ ପ୍ରାପ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଇଛି ବୋଲି କହି କୋର୍ଟ ରାଜ୍ୟ ସରକାରଙ୍କୁ ତିନି ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୪ରେ ହାଇକୋର୍ଟ ଦେଇଥିବା ଆବେଦନ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ମିଳିବ ତାହା ଉପରେ ୫ ପ୍ରତିଶତ ଏବଂ ହାଇକୋର୍ଟଙ୍କ ରାୟଠାରୁ ସୁପ୍ରିମକୋର୍ଟରେ ମାମଲା ଖାରଜ (୨୧ ଅଗଷ୍ଟ ୨୦୧୮) ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୬ ପ୍ରତିଶତ ହାରରେ ସୁଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟରେ ମାମଲା ଖାରଜ ( ୨୨ ଅଗଷ୍ଟ ୨୦୧୮) ହେବାଠାରୁ ଏ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ବ୍ୟତୀତ ଆବେଦନକାରୀଙ୍କୁ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୧୦, ୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁଧ ସହିତ ସମସ୍ତ ବକେୟା ପ୍ରାପ୍ୟ ୮୩ ବର୍ଷିୟ ପତ୍ନୀଙ୍କୁ ଦିଆଯିବ।

Related Posts