ବିବାଦ ଘେରରେ ଫିଲ୍ମ ‘ବାରଙ୍ଗ ୧୯୯୯’; କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ବାରଙ୍ଗ ୧୯୯୯’ । ଏକ ଦୈନିକ ଖବରକାଗଜରେ ଏପରି ଏକ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ଅଞ୍ଜନା ମିଶ୍ର। ଅଞ୍ଜନା କହିଛନ୍ତି ଯେ, ଏକ ଖବରକାଗଜ ଜରିଆରେ ସେ ଏପରି ଏକ ସୂଚନା ପାଇଛନ୍ତି। ଯାହା ତାଙ୍କ ସହ ଘଟିଥିବା ଏକ ଘଟଣା ସହିତ ରହିଛି। ଯଦି ଫିଲ୍ମରେ ତାଙ୍କ ବାବଦରେ କୌଣସି ସୂଚନା ଥିବ ସେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେବେ। ସେ କହିଛନ୍ତି ଯେ, ଏହି ଫିଲ୍ମଟି ତିଆରି କରୁଥିବା ସଂସ୍ଥା ତାଙ୍କ ସହ ଏ ବାବଦରେ କୌଣସି ଆଲୋଚନା କରିନାହିଁ। କିମ୍ବା ତାଙ୍କର ସହମତି ନେଇ ନାହିଁ। ଯେତେବେଳେ ସେହି ଦିନର ଘଟଣା ତାଙ୍କ ସହିତ ଜଡିତ ରହିଛି ତାହେଲେ ବିନା ଅନୁମତିରେ ତାଙ୍କୁ ନେଇ ଫିଲ୍ମ କରିବା ବେଆଇନ୍ ବୋଲି ଅଞ୍ଜନା କହିଛନ୍ତି।

ସୂଚନା ଅନୁସାରେ, ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଏହି ‘ବାରଙ୍ଗ ୧୯୯୯’ ଫିଲ୍ମକୁ ନିର୍ମାଣ କରିଛି। ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ଏ ନେଇ କହିଛନ୍ତି ଯେ ସେମାନେ ଏହି ଓ୍ୱେବ ସିରିଜରେ କାହାକୁ ଆକ୍ଷେପ କରିବା ଭଳି କିମ୍ବା ନାୟକ ସଜାଇବାକୁ ଉଦ୍ଦେଶ୍ୟ ରଖି ନାହାନ୍ତି।ଏହା ଏକ ବାସ୍ତବ କାହାଣୀ। ଯାହା ଓଡ଼ିଶାବାସୀଙ୍କ ସହ ଜ଼ଡିତ। ପୋଲିସ ଏବଂ ନ୍ୟାୟପାଳିକାକୁ ନେଇ ଏହି ଓ୍ୱେବ ସିରିଜଟି ତିଆରି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କର ଜଣେ ସାମ୍ବାଦିକା ବନ୍ଧୁଙ୍କ ସହ ଏକ କାର୍‌ରେ ଯାଉଥିଲେ। ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଅଞ୍ଜନାକୁ ଗଣ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ପୋଲିସ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କରିଥିଲା। ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ ଘଟଣାର ପ୍ରାୟ ୨୨ ବର୍ଷ ପରେ ୨୧ ଫେବୃଆରୀ ୨୦୨୧ ତାରିଖରେ ମୁମ୍ବାଇର ଲୋନାବଲା ଅଞ୍ଚଳରୁ ଭୁବନେଶ୍ୱର କମିଶନେରେଟ ପୋଲିସଦ୍ୱାରା ଗିରଫ ହୋଇଥିଲା।

Related Posts