ପଞ୍ଜାବ ଭଳି ରାଜସ୍ଥାନରେ ହୋଇଛି ଷଡଯନ୍ତ୍ର, ଠିକ୍ ବାଟରେ ନଗଲେ କଂଗ୍ରେସ ସରକାର ବର୍ତ୍ତିବ ନାହିଁ: ଗେହଲଟ ଗୋଷ୍ଠୀର ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ଏହାରି ଭିତରେ ଅଶୋକ ଗେହଲଟ ସରକାରରେ ମନ୍ତ୍ରୀ ଥିବା ଶକ୍ତି ସିଂହ ଧାରିୱାଲ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଏକ ବଡ ଷଡଯନ୍ତ୍ର କରି ଅଶୋକ ଗେହଲଟଙ୍କୁ ଇସ୍ତଫା ଦେବାକୁ କୁହାଯାଉଛି। ଏହିଭଳି ଷଡଯନ୍ତ୍ର ପଞ୍ଜାବରେ ମଧ୍ୟ ହୋଇଥିଲା ଓ ପରେ କଂଗ୍ରେସ ସେଠାରେ ସରକାର ହରାଇଥିଲା। ସମାନ ପରିସ୍ଥିତି ଏବେ ରାଜସ୍ଥାନରେ। ଏହି ଷଡଯନ୍ତ୍ର ଫଳରେ ଆମେ ରାଜସ୍ଥାନକୁ ମଧ୍ୟ ହରାଇବାକୁ ଯାଉଛୁ । ଯଦି ଆମେ ଠିକ ବାଟରେ ନଯିବା ତେବେ ରାଜସ୍ଥାନରେ କଂଗ୍ରେସ ସରକାର ବର୍ତ୍ତିପାରିବ ନାହିଁ । ଏହି ଭିଡିଓ ବିଧାୟକ ମାନଙ୍କ ବୈଠକ ପରେ ସାମ୍ନାକୁ ଆସିଛି ।

ଶକ୍ତି ସିଂହ ଧାରିୱାଲ ଏହି ଭିଡ଼ିଓରେ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ କହୁଛନ୍ତି ଗେହଲଟଙ୍କ ପାଖରେ ଦୁଇଟି ପଦ ଅଛି । ତେବେ ଆଜି ତାଙ୍କ ପାଖରେ କେଉଁ ଦୁଇଟି ପଦ ଅଛି ଯେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଉଛି । ବର୍ତ୍ତମାନ ତାଙ୍କ ପାଖରେ କେବଳ ମୁଖ୍ୟମନ୍ତ୍ରୀ ପଦ ରହିଛି । ଯେତେବେଳେ ତାଙ୍କୁ ଦ୍ୱିତୀୟ ପଦ ମିଳିବ ସେତେବେଳେ ଇସ୍ତଫା ଦେବାର ପ୍ରଶ୍ନ ଉଠିବ । ଆଜି ଇସ୍ତଫାର ପ୍ରଶ୍ନ ହିଁ ଉଠୁନାହିଁ । ଏହା ଗୋଟିଏ ବଡ ଷଡଯନ୍ତ୍ର । ଏହି ଷଡଯନ୍ତ୍ର କାରଣରୁ ଆମେ ପଞ୍ଜାବ ହରାଇଥିଲୁ ଏହି କାରଣରୁ ଆମେ ରାଜସ୍ଥାନ ହରାଇବାକୁ ଯାଉଛୁ । ଯଦି ଆମେ ସମୟ ପୂର୍ବରୁ ନିଜକୁ ନସମ୍ଭାଳିବା ତେବେ ରାଜସ୍ଥାନ ବର୍ତ୍ତିପାରିବ ନହେଲେ ପଞ୍ଜାବ ଭଳି ସ୍ଥିତି ଦେଖାଦେବା

ସୂଚନାଯୋଗ୍ୟ ଯେ, ଶକ୍ତି ସିଂହ ଧାରିୱାଲ ଅଶୋକ ଗେହଲଟଙ୍କ ସମର୍ଥକ ଗୋଷ୍ଠୀର ଜଣେ ବିଧାୟକ । ରବିବାର ଶକ୍ତି ସିଂହ ଧାରିୱାଲଙ୍କ ଘରେ ବିଧାୟକଙ୍କ ବୈଠକ ବସିଥିଲା । ଏଥିରେ ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ପହଞ୍ଚିଥିଲେ । ଏଠାରେ ହିଁ ବିଧାୟକମାନେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ସେଠାରୁ ସମସ୍ତ ବିଧାୟକ ସିଧା ଯାଇ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଥିଲେ ।

Related Posts