ଆଧାର ବଦଳରେ ପ୍ୟାନ, ପ୍ୟାନ ବଦଳରେ ଆଧାର

ସତ୍ୟପାଠ ବ୍ୟୁରୋ : ଏଣିକି ଆଧାର କାର୍ଡ ଓ ପ୍ୟାନ କାର୍ଡ ଭିତରେ ସେଭଳି ବିଶେଷ କିଛି ଫରକ ଦେଖିବାକୁ ମିଳିବ ନାହିଁ । ପୂର୍ବରୁ ଉଭୟ ପ୍ୟାନ ଓ ଆଧାର ପରିଚୟ ପତ୍ର ଭାବେ ବ୍ୟବହାର ହୋଇପାରୁଥିଲା । ହେଲେ ଏବେ ପ୍ୟାନ କାର୍ଡ ଭଳି ଆଧାର କାର୍ଡ ଯୋଗେ ବି ଟିକସ ପୈଠ କରିହେବ । ଆଜି ସଂସଦରେ ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିଭଳି ଏନଆରଆଇଙ୍କୁ ତୁରନ୍ତ ଆଧାରକାର୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ବଡକଥା ହେଲା ଆଜି ଯାଏଁ ଟ୍ୟାକ୍ସ ପଇଠ ବେଳେ ପ୍ୟାନ କାର୍ଡ ନିହାରି ଦରକାର ଥିଲା । ତେଣୁ ରିଟର୍ଣ୍ଣ ଫାଇଲ ପାଇଁ ପ୍ୟାନ କାର୍ଡ ହାସଲ କରିବା ଜରୁରୀ ଥିଲା । କିନ୍ତୁ ଅର୍ଥମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ୧୨୦କୋଟି ଲୋକଙ୍କ ପାଖରେ ଆଧାରକାର୍ଡ ରହିଛି । ତେଣୁ ଟିକସଦାତାଙ୍କୁ ସୁବିଧା ଦେବା ପାଇଁ ଏହି ନୂତନ ନିୟମ ଅଣାଯାଇଛି । ଏବେ ଟିକସ ପଇଠ ପାଇଁ ପ୍ୟାନ କାର୍ଡ ବଦଳରେ ଆଧାର କାର୍ଡ ମଧ୍ୟ ବ୍ୟବହାର କରିହେବ । ତା ଛଡା ଯେଉଁଠି ଯେଉଁଠି ପ୍ୟାନକାର୍ଡ ଦରକାର ଥିଲା ସେଠାରେ ଆଧାରକାର୍ଡ ବ୍ୟବହାର କରିହେବ ।

କହିବା ବାହୁଲ୍ୟ, ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରାଇବା ଜରୁରୀ । ଏହା କରିବାର ଶେଷ ତାରିଖ ରହିଛି ୩୦ ସେପ୍ଟେମ୍ବର । ପୂର୍ବରୁ ୩୧ ମାର୍ଚ୍ଚ ୨୦୧୯ ଏଥିପାଇଁ ଶେଷ ତାରିଖ ଥିବା ବେଳେ ପରେ ଏହାର ସମୟ ସୀମା ବଢ଼ାଇ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଭାରତରେ ଜନ୍ମ ହୋଇଥିବା ବା ଭାରତର ପ୍ରତ୍ୟେକ ଅଧିବାସୀଙ୍କ ପାଇଁ ଆଧାର ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଭାରତକୁ ଆସୁଥିବା ବିଦେଶୀ ନାଗରିକ ବା ଏନଆରଆଇଙ୍କ ପାଇଁ କେବଳ ଭିସା ଓ ପାସପୋର୍ଟ ଦରକାର ଥିଲା । ତେବେ ଭାରତରେ ଆଧାରକାର୍ଡ ପାଇବା ପାଇଁ ଏନଆରଆଇଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଯାହାକୁ ଆହୁରି ସହଜ କରି ଦେଇଛନ୍ତି ସରକାର । ଏବେ ୧୮୦ ଦିନ ନୁହେଁ ବରଂ ତୁରନ୍ତ ସେମାନଙ୍କୁ ଆଧାରକାର୍ଡ ପ୍ରଦାନ କରାଯାଇପାରିବ ।

Related Posts