
ଆଜି କଟକଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟରେ ଭାରପ୍ରାପ୍ତ ଡିଜିଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଡ଼ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୮୬ ବ୍ୟାଚର ଆଇପିଏସ୍ ବି କେ ଶର୍ମା ୩୩ ବର୍ଷର ଚାକିରି କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ଏହା ପୂର୍ବରୁ ସେ ସୁନ୍ଦରଗଡ଼, ସମ୍ବଲପୁର, ଫୁଲବାଣୀ ଓ ଖୋର୍ଦ୍ଧାରେ ଏସ୍ପିଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖୋର୍ଦ୍ଧାରେ ସେ ଦୁଇ ଦୁଇ ଥର ଏସ୍ପି ରହିଛନ୍ତି । ଏହା ସହିତ ୨୦୦୮ରୁ ୨୦୧୨ ଯାଏଁ ଏକ ଲମ୍ବା ସମୟ ଧରି କଟକ ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ତୁଲାଇଛନ୍ତି । ଏହି ସମୟରେ ସେ ଟ୍ୱିନ୍ ସିଟିରେ ଟ୍ରାଫିକ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଛନ୍ତି । ସେହିପରି ୧୯୯୯ରୁ ୨୦୦୬ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇ ସିବିଆଇରେ କାମ କରିସାରିଛନ୍ତି । ସେହିଭଳି ସାଧାରଣ ନିର୍ବାଚନ ସମୟରେ ପତ୍ନୀଙ୍କ ଦେହାନ୍ତ ପାଇଁ ଛୁଟିରେ ଥିବା ଆର୍ ପି ଶର୍ମାଙ୍କ କାର୍ଯ୍ୟଭାର ସମ୍ଭାଳିଥିଲେ ବିକେ ଶର୍ମା ।
ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଡ଼ ଆର.ପି ଶର୍ମାଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ କିଏ ଡିଜିପି ପଦ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଡ଼ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରାଯିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବି କେ ଶର୍ମାଙ୍କୁ ପୁଲିସ ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।