
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡରେ ରାଜନୈତିକ ହାଇଡ୍ରାମା ଜାରି ରହିଛି । ଶାସକ ମେଣ୍ଟ ନିଜ ବିଧାୟକ ଓ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ମଙ୍ଗଳବାର ୟୁପିଏର ୩୧ ଜଣ ବିଧାୟକଙ୍କୁ ଛତିଶଗଡ଼ ରାୟପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାକାର ମେ’ ଫେୟାର ରିସୋର୍ଟରେ ବର୍ତ୍ତମାନ ସେମାନଙ୍କୁ ରଖାଯାଇଛି । ଏସବୁ ମଧ୍ୟରେ କଂଗ୍ରେସର ୪ ଜଣ ମନ୍ତ୍ରୀ ରାଞ୍ଚି ଫେରିଛନ୍ତି ।
ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏମାନେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଦିନ ୪ଟାରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ବୈଠକରେ ସାମିଲ ହେବା ପରେ ପୁଣି ସେମାନେ ରାୟପୁର ଫେରିଯିବେ ବୋଲି ଜଣାପଡ଼ିଛି । ସେପଟେ ରିସୋର୍ଟରେ ଥିବା ବିଧାୟକମାନଙ୍କୁ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ମରାମତି ନାଁରେ ରିସୋର୍ଟକୁ ସମ୍ପୂର୍ଣ୍ଣ ବ୍ୟାରିକେଟିଂ କରି ରଖାଯାଇଛି। ବିଜେପି ବିଧାୟକ ମାନଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ବିଧାୟକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି ।