ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ୫ ଆପ୍‌ ସଦସ୍ୟ

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ୍‌) ବିପୁଳ ସମର୍ଥନ ରେ ବିଜୟ ହାସଲ କରିଛି । ଏବେ ପୁଣିଥରେ ରାଜ୍ୟସଭା ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ୫ ରାଜ୍ୟସଭା ଆସନରେ ନିର୍ବାଚନ ହେବା ପୂର୍ବରୁ ଆପ୍‌ର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିବା ବେଳେ, ଆପ୍‌ ୫ ରାଜ୍ୟସଭା ଆସନ ପାଇଁ ଦିଲ୍ଲୀ ବିଧାୟକ ରାଘବ ଚଢ଼ା, କ୍ରିକେଟର ହରଭଜନ ସିଂହ, ସନ୍ଦୀପ ପାଠକ, ସଞ୍ଜୀବ ଅରୋରା ଓ ଅଶୋକ ମିତ୍ତଲଙ୍କୁ ପ୍ରାର୍ଥୀ କରିଥିଲା। ଏମାନଙ୍କ ବିରୋଧରେ କୌଣସି ରାଜନୀତିକ ଦଳ ପ୍ରାର୍ଥୀ ଦେଇ ନଥିଲେ। ଆଜି ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ ସହ ତାଲିକା ପ୍ରକାଶ ପାଇଛି।

ଆପ୍‌ର ୫ ଆଶାୟୀଙ୍କ ବିରୋଧରେ କେହି ନାମାଙ୍କନ ଦାଖଲ କରି ନଥିବାରୁ ଏମାନେ ସମସ୍ତେ ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଛି।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପଞ୍ଜାବର ୧୧୭ ବିଧାନସଭା ଆସନରୁ ଆପ୍‌ ଏକାକୀ ୯୨ଟିରେ ଜିତିଥିଲା।

ନିର୍ବାଚନ କମିଶନଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖରେ ଏନେଇ ବିଧିବଦ୍ଧ ଘୋଷଣା କରାଯିବ। ଏହି ୫ ଜଣଙ୍କୁ ମିଶାଇ ରାଜ୍ୟସଭାରେ ଏବେ ଆପ୍‌ର ସାଂସଦଙ୍କ ସଂଖ୍ୟା ୮କୁ ବଢ଼ିଛି। କାରଣ ପୂର୍ବରୁ ଦିଲ୍ଲୀରୁ ଆପ୍‌ର ୩ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Related Posts