
ଆସନ୍ତାକାଲି ଦ୍ଵିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ଏନେଇ ଲକ୍ଷ୍ନୌରେ ଥିବା ଅଟଳ ବିହାରୀ ବାଜେପେୟୀ ଷ୍ଟାଡିୟମରେ ମହାସମାରୋହର ଆୟୋଜନ କରାଯାଇଛି । ଅପରାହ୍ନ ୪ଟାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଶପଥ ସମାରୋହ କୁ ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସର କଳାକାର ଓ ପୂରା ଟିମକୁ ନିମନ୍ତ୍ରଣ କରାଯାଇଛି। ଏହାବାଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ହାଇପ୍ରୋଫାଇଲ ବ୍ୟବସାୟୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୋଗୀଙ୍କ ଶପଥପାଠ ଉତ୍ସବକୁ ସ୍ମରଣୀୟ କରିବାକୁ ଦଳ ପୂରା ଯୋଜନା କରିଛି। କାରଣ ଯୋଗୀ ରେକର୍ଡ କ୍ରମାଗତ ଦ୍ୱିତୀୟଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିପାଇଁ ଯୋଗୀଙ୍କ ଶପଥ ପାଠ ଉତ୍ସବ ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର, କଙ୍ଗନା ରାଣାୱତ ଓ ବୋନି କପୁରଙ୍କ ଭଳି ସେଲିବ୍ରେଟିଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ଦଳ ପକ୍ଷରୁ ଦି କଶ୍ମୀର ଫାଇଲ୍ସର ପୂରା ଟିମ୍କୁ ଡକାଯାଇଛି। ଅଭିନେତା ଅନୁପମ ଖେର ଓ କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଷ୍ଟାଡିୟମରେ ପ୍ରସ୍ତୁତ ହୋଇଥିବା ମୁଖ୍ୟ ଷ୍ଟେଜରେ ବିରାଟ ପୋଷ୍ଟର ଲଗାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିଛି। ପଡ଼ିଆ ଭିତରେ ୨୦ ହଜାର ଚେୟାର ପଡ଼ିଛି। ସେହିପରି ଷ୍ଟାଡିୟମରେ ଥିବା ଗ୍ୟାଲେରୀଗୁଡ଼ିକରେ ମଧ୍ୟ ବିଜେପି ସମର୍ଥକମାନେ ବସିବେ। ୟୁପି ଓ ସମଗ୍ର ଭାରତରୁ ବିଜେପି କର୍ମୀମାନେ ଯୋଗୀଙ୍କ ଶପଥପାଠର ମୁକସାଖୀ ହେବାକୁ ଆସୁଥିବା କୁହାଯାଉଛି।