ବାବା ଅମରନାଥଙ୍କୁ ଦର୍ଶନ କରିବାକୁ ଯାଇ କଶ୍ମୀରରେ ଫସି ରହିଛନ୍ତି ରାୟଗଡ଼ାର ୫ ଶ୍ରଦ୍ଧାଳୁ

କଲ୍ୟାଣସିଂହପୁର: ବାବା ଅମରନାଥଙ୍କୁ ଦର୍ଶନ କରିବାକୁ ଯାଇ ଫଶିଗଲେ 5 ଓଡିଆ ଶ୍ରଦ୍ଧାଳୁ । ଫସିଥିବା ସମସ୍ତ ଓଡ଼ିଆ ରାୟଗଡ଼ା ଜିଲ୍ଳାର । ବର୍ଷା ଜଳ ହଠାତ ଗୁମ୍ଫା ପାର୍ଶ୍ୱରୁ ମାଡ଼ି ଆସିବାରୁ ଅସ୍ଥାୟୀ ଟେଣ୍ଟ୍‌ରେ ରହୁଥିବା ବହୁ ଶ୍ରଦ୍ଧାଳୁ ଭାସି ଯାଇଥିଲେ। ସୌଭାଗ୍ୟବଶତଃ ଆମ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ରାୟଗଡ଼ାର ବସନ୍ତ ସେନାପତି। ବସନ୍ତଙ୍କ ସହ ସେଠାରେ ସୌମ୍ୟରଞ୍ଜନ ପାତ୍ର, ନିହାର ରଞ୍ଜନ ପାତ୍ର, କେ. ରବି କୁମାର ଓ ଟୁକୁନା ପ୍ରଧାନ ଫସି ରହିଛନ୍ତି।

ଏମାନେ ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୬ ତାରିଖରେ ଦର୍ଶନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରବଳ ଭିଡ଼ ଯୋଗୁ ୭ ତାରିଖରେ ଦର୍ଶନ ପାଇଁ ଅନୁମତି ମିଳିଥିଲା। ୭ ତାରିଖରୁ ଯାତ୍ରା ଆରମ୍ଭ କରି ୮ ତାରିଖ ସଂଧ୍ୟା ୫ଟାରେ ସମସ୍ତ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଥିଲେ। ବାବାଙ୍କୁ ଦର୍ଶନ କରି ଅସ୍ଥାୟୀ କ୍ୟାମ୍ପକୁ ଆସିବା କ୍ଷଣି ଆରମ୍ଭ ହୋଇଥିଲା ବାଦଲ ଫଟା ବର୍ଷା।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ପାହାଡ଼ରୁ ହଠାତ୍‌ ପାଣି ମାଡ଼ି ଆସିଥିଲା। ଫଳରେ ଗୁମ୍ଫା ନିକଟରେ ଥିବା ଶହ ଶହ ଅସ୍ଥାୟୀ ଟେଣ୍ଟ୍ ସହ ବହୁ ଶ୍ରଦ୍ଧାଳୁମାନେ ଭାସି ଯାଇଥିଲେ। ଅତଡ଼ା ଖସିବା କାରଣରୁ କିଛି ଶ୍ରଦ୍ଧାଳୁ ମାଟି ତଳେ ଫଶି ଯାଇଥିଲେ। ତେବେ ଓଡ଼ିଆ ଶ୍ରଦ୍ଧାଳୁ ବସନ୍ତ ସେନାପତି, ସୌମ୍ୟରଞ୍ଜନ ପାତ୍ର, ନିହାର ରଞ୍ଜନ ପାତ୍ର, କେ. ରବି କୁମାର ଓ ଟୁକୁନା ପ୍ରଧାନଙ୍କ ଜୀବନ ବର୍ତ୍ତି ଯାଇଥିଲା। ସେମାନେ ସତର୍କତାର ସହ ଅସ୍ଥାୟୀ କ୍ୟାମ୍ପରୁ ଚାଲି ଚାଲି ଆସି ରାତି ୩ଟାରେ ପଞ୍ଚତରଣୀରେ ପହଞ୍ଚି ଥିଲେ। ସେଠାରେ ବିଶ୍ରାମ ନେବା ପରେ ସକାଳୁ ପୁଣି ଚାଲିବା ଆରମ୍ଭ କରି ୧୮ ହଜାର ଫୁଟ ଉଚ୍ଚରେ ଥିବା ବାଲତାଲ୍ ଅଭିମୁଖେ ଯାତ୍ରା କରିଥିଲେ।

ବାଲତାଲରେ ପହଞ୍ଚିବା ପରେ ଜମ୍ମୁ ଅଭିମୁଖେ ଯାତ୍ରା କରିବେ ବୋଲି ବସନ୍ତ ସେନାପତି କହିଛନ୍ତି। ତେବେ ଦୁଇ ଦିନ ହେଲା ଭଲ ଭାବରେ କିଛି ଖାଇନଥିବା ଓ ବର୍ଷା ଜଳରେ ସମସ୍ତ ସାମଗ୍ରୀ ଏବଂ ବ୍ୟାଗ୍ ଭାସି ଯାଇଥିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଭିଡ଼ିଓ ବାର୍ତ୍ତା ଜାରି କରି ଓଡ଼ିଶା ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଓଡ଼ିଆ ଶ୍ରଦ୍ଧାଳୁମାନେ।

Related Posts