ପାକିସ୍ତାନରେ ବନ୍ୟା ସ୍ଥିତି ସଙ୍ଗୀନ: ଭାଙ୍ଗିବାକୁ ପଡିଲା ଦେଶର ସବୁଠାରୁ ବଡ ମଞ୍ଚାର ହ୍ରଦ

ଲାହୋର: ପଡୋଶୀ ଦେଶ ପାକିସ୍ତାନ ଏବେ ଭୟଂକର ବନ୍ୟା ସ୍ଥିତି ଦେଇ ଗତି କରୁଛି । ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି । ଭୟାନକ ବନ୍ୟାରେ ଦେଶର ଏକତୃତୀୟାଂଶ ଅଞ୍ଚଳ ଜଳମଗ୍ନ ରହିଥିବାବେଳେ ୧୧୫ଟି ଜିଲ୍ଲାରୁ ୧୧୦ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଲାଗି ରହିଛି ଏବଂ ୫ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।

ଜୁନ୍ ମଧ୍ୟଭାଗରୁ ଅଦ୍ୟାବଧି ପାକିସ୍ତାନରେ ସ୍ବାଭାବିକ ଠାରୁ ୧୦ ଗୁଣ ଅଧିକ ବର୍ଷା ଯୋଗୁଁ ନାହିଁନଥିବା କ୍ଷୟକ୍ଷତି ଘଟିଛି । ତେବେ ବନ୍ୟା ପାଇଁ ଦେଶର ସବୁଠାରୁ ବଡ ହ୍ରଦ ମଞ୍ଚାର ହ୍ରଦକୁ ଭାଙ୍ଗିବାକୁ ପଡିଛି । ଏହି ହ୍ରଦ ଏତେ ପାଣିରେ ପରିପୂର୍ଣ୍ଣ ଥିଲା ଯେ ଏହା ଫାଟିଯିବାର ବିପଦ ଥିଲା |

ହ୍ରଦର ଜଳସ୍ତର ବିପଜ୍ଜନକ ସ୍ତର ଅତିକ୍ରମ କରିଥିବାରୁ ଦକ୍ଷିଣ ସିନ୍ଧର ୫୦ ଲକ୍ଷ ଲୋକ ବିପଦରେ ପଡ଼ିଥିଲେ। ଆଉ ଏଥିପାଇଁ ଏହି ହ୍ରଦ ଭଙ୍ଗାଯାଇଛି | ତେବେ ହ୍ରଦ ଭାଙ୍ଗିବା ହେତୁ ଏକ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତ ଲୋକଙ୍କୁ ଶିବିରରେ ରଖାଯାଇଛି। ଜଳସେଚନ ମନ୍ତ୍ରୀ ଜାମ ଖାନ ଶୋରୋଙ୍କ କହିବା ଅନୁଯାୟୀ, ଏହି ହ୍ରଦକୁ ଭାଙ୍ଗିବା ହେତୁ ଅଧିକ ଜନବହୁଳ ଅଞ୍ଚଳରେ ବିପଦକୁ ଏଡାଇ ଦିଆଯାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ ଇଞ୍ଜିନିୟରମାନେ ପାକିସ୍ତାନର ବୃହତ୍ତମ ମଧୁର ଜଳ ହ୍ରଦକୁ ଭାଙ୍ଗିଥିଲେ |

ହ୍ରଦରୁ ଜଳ ବାହାର କରିବା ପାଇଁ ଇଞ୍ଜିନିୟରମାନଙ୍କୁ ମଞ୍ଚାର ହ୍ରଦକୁ ଭାଙ୍ଗି ଡ୍ରେନ୍ କରିବାକୁ ପଡିଛି | ଅଧିକାରୀ କହିଛନ୍ତି ଯେ ଏଭଳି ବନ୍ୟା ଦେଶ ଇତିହାସରେ କେବେ ହୋଇ ନଥିଲା। ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ବ୍ୟତୀତ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପାକିସ୍ତାନ ସରକାରଙ୍କୁ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Related Posts