ଦିଲ୍ଲୀରେ କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ କୁମାର; ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରେ ସେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା । ଉଭୟ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ।

ବୈଠକ ପରେ ଉଭୟଙ୍କ ଫଟୋ ସହିତ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ, ନୀତିଶ କୁମାର ମୋ ଘର ପରିଦର୍ଶନ କରିଥିବାରୁ ତାଙ୍କୁ ଅନେକ ଧନ୍ୟବାଦ। କେଜ୍ରିୱାଲ କହିଛନ୍ତି ଯେ, ଦେଶ ସହ ଜଡିତ ଅନେକ ଗମ୍ଭୀର ବିଷୟ ଉପରେ ଆଲୋଚନା କରାଯାଇଛି। ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଅପରେସନ୍ ଲୋଟସ୍, ବିଜେପି ଖୋଲାଖୋଲି ଭାବରେ ବିଧାୟକ କିଣିବା ପ୍ରସଙ୍ଗ ଓ ବିଜେପି ସରକାରଙ୍କ ଭ୍ରଷ୍ଟାଚାର,ଦୁର୍ନୀତି, ମୁଦ୍ରାସ୍ଫୀତି, ବେକାରୀ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା। ଦୁଇ ନେତାଙ୍କ ବୈଠକରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଜନତା ଦଳ ୟୁନାଇଟେଡ ନେତା ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ।

ଅପରାହ୍ନରେ ନୀତିଶ କୁମାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୈତନ୍ୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୦୨୩ ନିର୍ବାଚନରେ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ନୀତିଶ କୁମାର ସମସ୍ତ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି ଓ ସମାଜବାଦୀ ପୃଷ୍ଠଭୂମିରୁ ଦଳଗୁଡ଼ିକୁ ଏକାଠି କରିବା ଉପରେ ତାଙ୍କର ବିଶେଷ ଗୁରୁତ୍ୱ ରହିଛି।

Related Posts