ପାକିସ୍ତାନରେ ବନ୍ୟା ବିପତ୍ତି: ୩୦ ଲକ୍ଷ ଶିଶୁ ବିପଦରେ

ଇସଲାମାବାଦ: ପାକିସ୍ତାନରେ ବନ୍ୟା ଆଣିଦେଇଛି ବିପତ୍ତି । ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ୩୦ ଲକ୍ଷ ଶିଶୁ ଏବେ ବିପଦରେ ପଡ଼ି ଯାଇଛନ୍ତି । ବନ୍ୟା ଫଳରେ ପାକିସ୍ତାନର ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ଜଳବାହିତ ରୋଗ ଏବଂ ପୁଷ୍ଟିହୀନତାର ଶିକାର ହୋଇଛନ୍ତି।

ୟୁନିସେଫ୍‌ କହିଛି ଯେ ପାକିସ୍ତାନରେ ଚଳିତ ବର୍ଷର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୧୬ ନିୟୁତ ଶିଶୁଙ୍କ ସମେତ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ୩୫୦ରୁ ଅଧିକ ଶିଶୁଙ୍କ ସମେତ ୧,୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହୁରି ୧,୬୦୦ ଆହତ ହୋଇଛନ୍ତି। ୨୮୭,୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି ଏବଂ ୬୬୨,୦୦୦ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଚାଷ ଜମି ଏବଂ ରାସ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ୩୦ ପ୍ରତିଶତ ଜଳ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଯାହା ଦ୍ୱାରା ଲୋକମାନେ ଖୋଲାରେ ମଳତ୍ୟାଗ କରିବା ଏବଂ ଅସୁରକ୍ଷିତ ଜଳ ପିଇବା ସହିତ ରୋଗ ବ୍ୟାପିବାର ଆଶଙ୍କା ଆହୁରି ବୃଦ୍ଧି ପାଇଛି। ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି। ୧୭,୫୬୬ଟି ବିଦ୍ୟାଳୟ ନଷ୍ଟ ହୋଇଛି ଯାହା ପିଲାମାନଙ୍କ ଶିକ୍ଷାକୁ ବିପଦରେ ପକାଇଛି।

Related Posts