ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ରାଜିନହେବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ପଦରୁ ହଟାଇ ଦିଆଯାଇଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀମାନଙ୍କ ପାଇଁ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏଥର ପଞ୍ଜାବରେ କ୍ଷମତାକୁ ଆସିବା ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ାଟକ୍କର ଦେଖାଦେଇଛି । ଏହା ମଧ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ରାଜି ନ ଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ସେପଟେ ପଞ୍ଜାବରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଆପଣଙ୍କୁ କହିବି କ୍ୟାପଟେନ ଅମରିନ୍ଦର ସିଂଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାହିଁକି ହଟାଇ ଦିଆଗଲା।

ସେ ଗରୀବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ରାଜି ହୋଇନଥିଲେ। ଏପରିକି ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀଗୁଡିକ ସହିତ ମୋର ଚୁକ୍ତି ଅଛି ବୋଲି ସେ କହିଥିଲେ । ଅନ୍ୟପଟେ ରାଜ୍ୟରେ ଡ୍ରଗ୍ସ ବିପଦ ସମ୍ପର୍କରେ କଂଗ୍ରେସ ନେତା କହିଛନ୍ତି, “ମୁଁ କହିଥିଲି ଯେ ଡ୍ରଗ୍ସ ଦେଶ ପାଇଁ ବିପଦ ଅଟେ। ପଞ୍ଜାବରେ ଏଥର ଡ୍ରଗ୍ସ କାରବାରକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଡ୍ରଗ୍ସ ଏଠାରେ ଯୁବକମାନଙ୍କ ଜୀବନକୁ ନଷ୍ଟ କରିଦିଏ ତେବେ ପଞ୍ଜାବରେ ବିକାଶ ଏବଂ ଅଭିବୃଦ୍ଧି ଅର୍ଥହୀନ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଫେବୃଆରୀ ୨୦ ତାରିଖରେ ପଞ୍ଜାବରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି ।

Related Posts