
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏନେଇ ବୁଥମାନଙ୍କରେ ଭୋଟରମାନଙ୍କର ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଥିଲେ। ସେପଟେ ମତଦାତାମାନେ ବୁଥକୁ ଆସିବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏବେ ସେହି ଦୁଇ ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି।
ଖବର ପାଇ ପ୍ରଶାସନିକ ଅଧିକାରୀମାନେ ବୁଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଜାରି ରହିଛି। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍ରେ ମତଦାନ ଜାରି ରହିଛି। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରଖିଛନ୍ତି।