ଇଦ୍ ପରେ ପାକିସ୍ତାନ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରୀଫ: ଜରୁରୀକାଳୀନ ଭିତ୍ତିରେ କୁଟନୈତିକ ପାସ୍‌ପୋର୍ଟ ଜାରି କରିବାକୁ ଆଦେଶ ଦେଲେ ଶହବାଜ୍ ଶରୀଫ

ପାକିସ୍ତାନ: ଖୁବଶିଘ୍ର ପାକିସ୍ତାନ ତଥା ସ୍ବଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରୀଫ | ଏନେଇ ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫ ଜରୁରୀକାଳୀନ ଭିତ୍ତିରେ କୁଟନୈତିକ ପାସ୍‌ପୋର୍ଟ ଜାରି କରିବାକୁ ଆଦେଶ ଦେଇଛନ୍ତି । ସୂତ୍ର ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରୀଫ କୁଟନୈତିକ ପାସପୋର୍ଟ ଆଧାରରେ ଇଦ୍ ପରେ ପାକିସ୍ତାନ ଫେରିବେ । ମାତ୍ର କୋର୍ଟଙ୍କ ସଜା କାରଣରୁ ନୱାଜ୍ ଶରୀଫଙ୍କୁ ସ୍ୱଦେଶ ଫେରିବା ପରେ ସିଧାସଳଖ ଜେଲ୍ ଯିବାକୁ ପଡ଼ିବ ।

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନୱାଜ୍ ଶରୀଫ ଏବେ ବ୍ରିଟେନ୍‌ରେ ଅଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପାକିସ୍ତାନୀ ମୁସ୍‌ଲିମ୍ ଲିଗ୍‌(ପିଏମ୍‌ଏଲ୍‌-ଏନ୍‌)ର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶ ଫେରିବା ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଆସୁଛି । କୁହାଯାଉଛି ଯେ, ପାକିସ୍ତାନ ଫେରିବା ପରେ ନୱାଜ ଶରୀଫ ଅଦାଲତରେ ହାଜର ହେବେ । ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟଜନିତ ପରିସ୍ଥିତି କାରଣରୁ ଜେଲ ଯିବା ନେଇ ଆଶ୍ୱସ୍ତି ଦେବାକୁ ଦାବି କରାଯାଇପାରେ ।

ନୱାଜ୍ ଶରୀଫ ନିଜର ସାନଭାଇ ତଥା ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ୍ ଶରୀଫଙ୍କୁ ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ବିରୋଧୀଙ୍କ ତମାମ ପ୍ରୟାସ ସତ୍ତ୍ୱେ ବି ପାକିସ୍ତାନରେ ସାମ୍ବିଧାନିକ ପରିବର୍ତ୍ତନ ମାଧ୍ୟମରେ ଶରୀଫଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଶହବାଜଙ୍କୁ ପାକିସ୍ତାନର ସେବା କରିବାକୁ ଅପୂର୍ବ ସୁଯୋଗ ମିଳିଛି । ତାଙ୍କୁ ବିଶ୍ୱବାସୀ ଆଶୀର୍ବାଦ କରିଛନ୍ତି ।

Related Posts