ସିସିଡି ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ୍ : ୭ ହଜାର କୋଟି ଟଙ୍କାର କରଜରେ ବୁଡିଥିଲା କମ୍ପାନୀ

ସତ୍ୟପାଠ ବ୍ୟୁରୋ : ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥ ସୋମବାର ସଂଧ୍ୟାରୁ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ ନଦୀରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଭାରତୀୟ ଜନତା ପାର୍ଟିର ଜଣାଶୁଣା ନେତା ଏସଏମ କ୍ରିଷ୍ଣାଙ୍କ ନାତି ଭିଜି ସିଦ୍ଧାର୍ଥ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିଜର ବ୍ୟବସାୟ ପାଇଁ ସିଦ୍ଧାର୍ଥ ସୋମବାର ଚିକ୍କାମାଗାଲୁରୁ ଯାଇଥିଲେ । ସେ ଚିକ୍କାମାଗାଲୁରୁ ଠାରୁ କାମ ସାରି କେରଳ ଯିବାର ଥିଲା । ମାତ୍ର ସେ ଯିବା ସମୟରେ କାରର ଡ୍ରାଇଭରଙ୍କୁ ମାଙ୍ଗାଲୁରୁ ନିକଟ ଜେପିନା ମୋଗାରୁ ଠାରେ ଜାତୀୟ ରାଜପଥ ଉପରେ ଅଟକିବା ପାଇଁ କହିଥିଲେ । ଏହା ପରେ ସେ କାରରୁ ଓହ୍ଲାଇଥିଲେ ।

ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ଠାରୁ ୩୭୫ କିଲୋମିଟର ଦୂର ମାଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀ ଉପରେ ନିର୍ମିତ ଉଲ୍ଲା ବ୍ରିଜ ଉପରେ କାର ଯାଉଥିବା ବେଳେ ସୋମବାର ପାଖାପାଖି ୯ଟା ହେବ ସିଦ୍ଧାର୍ଥ ତଳକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ମେଙ୍ଗାଲୁରୁ ସିଟି ପୋଲିସ କହିଛି, ସୋମବାର ରାତି କେହି ଜଣେ ବ୍ୟକ୍ତି ଉଲ୍ଲା ବ୍ରିଜ ଉପରୁ ବନ୍ୟା ଜଳ ପ୍ରବାହିତ ହେଉଥିବା ନଦୀକୁ ଡେଇଁ ପଡ଼ିଥିଲା । ଏହା ସିଦ୍ଧାର୍ଥ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଲିସକୁ ମିଳିଥିବା ସୂତ୍ର ଅନୁସାରେ , ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥାବାର୍ତ୍ତା କରି କମ୍ପାନୀର ଯତ୍ନ ନେବାକୁ କହିଥିଲେ । ତେବେ ସୂତ୍ର ଅନୁସାରେ ସିସିଡି ଉପରେ ୭ ହଜାର କୋଟି ଟଙ୍କାର କରଜ ଥିଲା । କରଜ କାରଣରୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା କଥା ପୋଲିସ୍ ଏବେ ଆଶଙ୍କା କରୁଛି ।

Related Posts