ରାଜ୍ୟସଭା ପାଇଁ ମନୋନୀତ ହେଲେ ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲାୟାରାଜା ସମେତ ୪ ଜଣ

ନୂଆଦିଲ୍ଲୀ : ରାଜ୍ୟ ସଭାକୁ ଯିବେ ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲାୟାରାଜା ସମେତ ୪ ଜଣ । ଏନେଇ ତାଙ୍କୁ ମନୋନୀତ କରାଯାଇଛି। ଅନୋନିତ ହୋଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି।

ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ ଯିବେ।

ବିଜୟେନ୍ଦ୍ର ପ୍ରସାଦ ପ୍ରସିଦ୍ଧ ଫିଲ୍ମ ବାହୁବଳୀର ଲେଖକ ଏବଂ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ପିତା। ସେ ଆରଆରଆର, ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନ, ମାଣିକର୍ଣ୍ଣିକା, ଥଲାଇଭି ପରି ଫିଲ୍ମର କାହାଣୀ ଲେଖିଛନ୍ତି।

ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷାଜୀ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା। କ୍ରୀଡାରେ ତାଙ୍କ ଉପଲବ୍ଧିକୁ ଲୋକେ ବ୍ୟାପକ ଭାବେ ଜାଣିଛନ୍ତି। ଗତ ଅନେକ ବର୍ଷରେ ଉଦୀୟମାନ ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ ଦେବାରେ ପ୍ରଶଂସନୀୟ କାମ କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ନେଇ ଅଭିନନ୍ଦନ।

ଭି. ବିଜୟେନ୍ଦ୍ର ପ୍ରସାଦ ଗାରୁଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ଉପରେ ସେ ଲେଖିଛନ୍ତି, ଭି ବିଜୟେନ୍ଦ୍ର ଗାରୁ ଦଶନ୍ଧି ଧରି ରଚନାତ୍ମକ ଦୁନିଆ ସହ ଜଡିତ ଥିଲେ। ତାଙ୍କ ରଚନା ଭାରତର ଗୌରବଶାଳୀ ସଂସ୍କୃତିକୁ ପ୍ରଦର୍ଶିତ କରୁଛି। ବିଶ୍ଵସ୍ତରରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇ ଥିବାରୁ ଅଭିନନ୍ଦନ।

ରାଜ୍ୟସଭାକୁ ମନୋନୀତ ତୃତୀୟ ସଦସ୍ୟ ପାଇଁ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବୀରେନ୍ଦ୍ର ହେଗଡେ ଜୀ ଉତ୍କୃଷ୍ଟ ସାର୍ବଜନୀନ ସେବାରେ ସବୁଠୁ ଆଗରେ ଅଛନ୍ତି। ଧର୍ମସ୍ଥଳ ମନ୍ଦିରରେ ପ୍ରାର୍ଥନା କରିବା, ସ୍ଵାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତିରେ ତାଙ୍କ ଦ୍ଵାରା ହୋଇଥିବା ମହାନ କାର୍ଯ୍ୟକୁ ଦେଖିବାର ସୁଯୋଗ ମୋତେ ମିଳିଛି। ନିଶ୍ଚିତ ରୂପେ ସେ ସଂସଦର ଗୃହ କାର୍ଯ୍ୟକୁ ଆହୁରି ସମୃଦ୍ଧ କରିବେ।

ପ୍ରଧାନମନ୍ତ୍ରୀ ଅନ୍ୟ ଏକ ଟୁଇଟ୍‌ରେ ଲେଖିଛନ୍ତି, ଇଲେୟା ରାଜା ଜୀ ପିଢି ପରେ ପିଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ତାଙ୍କ ରଚନା ଅନେକ ଭାବନାକୁ ସୁନ୍ଦରତାର ସହ ଦର୍ଶାଇଥାଏ। ତାଙ୍କ ଜୀବନ ଯାତ୍ରା ମଧ୍ୟ ସେତିକି ପ୍ରେରଣାଦାୟୀ। ସେ ଏକ ବିନମ୍ର ପୃଷ୍ଠଭୂମିରୁ ଆସି ବହୁତ କିଛି ହାସଲ କରିଛନ୍ତି। ମୁଁ ଖୁସି ଯେ, ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି।

Related Posts