ପାକିସ୍ତାନର ହନିଟ୍ରାଫ୍‌ରେ ବିଦେଶ ମନ୍ତ୍ରାଳୟର ଡ୍ରାଇଭର: ଟଙ୍କା ନେଇ ତଥ୍ୟ ଦେବା ଅଭିଯୋଗରେ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଦେଶ ମନ୍ତ୍ରାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଆଜି ନୂଆ ଦିଲ୍ଲୀର ଜବାହର ଲାଲ ନେହରୁ ଭବନରୁ ଗିରଫ କରାଯାଇଛି । ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବାର ଅଭିଯୋଗ ହୋଇଥିଲା। ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇ ସୂଚନା ଓ ତଥ୍ୟ ପଠାଉ ଥିଲେ।

ରିପୋର୍ଟ ଅନୁସାରେ, ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ମହିଳା ଜଣକ ପୁନମ୍‌ ଶର୍ମା ବା ପୂଜା ବୋଲି ନିଜକୁ ପରିଚୟ ଦେଇଥିଲେ।ଡ୍ରାଇଭରଙ୍କୁ ଗିରଫ କରିଥିବା ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚର ସୂତ୍ର କହିଛି କି ଡ୍ରାଇଭର ହନିଟ୍ରାପରେ ଫସିଥିଲେ । ଡ୍ରାଇଭର କିଛି ଅର୍ଥ ଲୋଭରେ ସୂଚନା ଓ ତଥ୍ୟ ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ପଠାଉଥିଲେ।

ସୂତ୍ର ଅନୁସାରେ, ବିଦେଶ ମନ୍ତ୍ରାଳୟରେ ନିଯୁକ୍ତ ଅଭିଯୁକ୍ତ ଡ୍ରାଇଭରଙ୍କର ନାମ ଶ୍ରୀକୃଷ୍ଣ ବୋଲି କୁହାଯାଉଛି। ଦିଲ୍ଲୀ ପୁଲିସ ତାଙ୍କୁ ସୁରକ୍ଷା ଏଜେନ୍ସିର ସାହାଯ୍ୟରେ ପାକିସ୍ତାନର ଆଇଏସଆଇକୁ ସମ୍ୱେଦନଶୀଳ ସୂଚନା ସବୁ ଲିକ୍‌ କରିବା ଅଭିଯୋଗରେ ଧରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ବିଦେଶ ମନ୍ତ୍ରାଳୟର ଡ୍ରାଇଭରଙ୍କୁ ଫସାଇବା ପାଇଁ ଫେକ୍‌ ଆଇଡି ଦେଖାଇ ଥିଲା ।

ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଶ୍ରୀକୃଷ୍ଣଙ୍କୁ ହନିଟ୍ରାପ୍‌ରେ ଫସାଇ ଥିଲା। ତାଙ୍କ ପାଖରୁ ଝିଅ ମାନଙ୍କର ଫଟୋ ଓ ଭିଡ଼ିଓ ଜବତ କରାଯାଇଛି । ପୁଲିସ ଓ ଗୁଇନ୍ଦା ଏଜେନ୍ସିମାନେ ଏହା ଜାଣିବାକୁ ଯାଞ୍ଚ ଆରମ୍ଭ କରିଛନ୍ତି ଯେ, ବିଦେଶ ମନ୍ତ୍ରାଳୟରେ କାମ କରୁଥିବା ଆହୁରି କର୍ମଚାରୀ ବି ଏହି ମାମଲାରେ ସାମିଲ ଅଛନ୍ତି ନା ନାହିଁ ।

Related Posts