ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଏଥର ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେପଟେ ଆରମ୍ଭରୁ ହିଁ ଆକ୍ସନ ମୋଡରେ ଆପ ରହିଥିବାର ଦେଖିବାକୁ ମିଳିଛି । କାହିଁକିନା ନିର୍ବାଚନ ଜିତିବା ପରେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ଲାଗିଛି ଆପ । ଏହା ମଧ୍ୟରେ ସ୍ୱାସ୍ଥ୍ର ଏବଂ ଶିକ୍ଷା ଭିତ୍ତିଭୂମି ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମସ୍ତଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ସେବା ଯୋଗାଇଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଆମ ଆଦମି ପାର୍ଟି ଘୋଷଣା କରିଛି । ସେପଟେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ପ୍ରଥମ ପ୍ରତିଶୃତି ୩୦୦ ୟୁନିଟ ମାଗଣା ବିଦ୍ୟୁତ ସେବା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।
ଏଥିପାଇଁ ପ୍ରତ୍ୟେକ ବର୍ଗର ଗ୍ରାହକଙ୍କ ସଂଖ୍ୟା ଏବଂ ବିଦ୍ୟୁତ ସବସିଡି ବିଲ ଉପରେ ପୂର୍ବରୁ ହିଁ ତଥ୍ୟ ସଂଗ୍ରହ କରାଯାଉଛି । ଏକ ରିପୋଟଁ ଅନୁଯାୟୀ, ରାଜ୍ୟରେ ୭୩ ଲକ୍ଷ ଘରୋଇ ଉପଭୋକ୍ତା, ୧୪ ଲକ୍ଷ କୃଷି ଉପଭୋକ୍ତା, ୧୧.୫୦ ଲକ୍ଷ ବାଣିଜ୍ୟିକ ଉପଭୋକ୍ତା ଏବଂ ୧.୫୦ ଲକ୍ଷ ଶିଳ୍ପ ଉପଭୋକ୍ତାଙ୍କ ସମେତ ରାଜ୍ୟରେ ୧ କୋଟି ବିଦ୍ୟୁତ ଉପଭୋକ୍ତା ରହିଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
