ଭୁବନେଶ୍ବରରେ ରିଂ ରୋଡ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ; ଏନେଇ ସୂଚନା ଦେଲେ ଅପରାଜିତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବରରେ ରିଂ ରୋଡ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି । ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଏସବୁ ପ୍ରକଳ୍ପକୁ ମନ୍ତ୍ରୀ ଅନୁମୋଦନ କରିଥିବା ଅପରାଜିତା ଟୁଇଟ କରି ସୂଚନା ଦେଇଛନ୍ତି । ସେପଟେ ରାଜଧାନୀରେ ଟ୍ରାଫିକ ବଢିବା ସହ ବିଭିନ୍ନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ।

ସାଧାରଣ ଲୋକମାନେ ବିଶେଷକରି ମହିଳା, ବରିଷ୍ଠ ନାଗରିକ ଓ ଶିଶୁମାନେ ରାସ୍ତା ପାର ହେବାବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର କେତେକ ଅତି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଛି । ସେହିପରି ରାଜଧାନୀ ମଧ୍ୟରେ ପ୍ରତିଦିନ ଅନେକ ଭାରିଯାନ ପ୍ରବେଶ କରୁଥିବାରୁ ତାହା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ରିଙ୍ଗରୋଡ୍ ନିର୍ମାଣର ଆବଶ୍ୟକତା ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts