ଅଲିଗଡ଼ ମୁସଲିମ ୟୁନିଭର୍ସିଟିରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କୁ ନେଇ ଦୁଷ୍କର୍ମ ଉଦାହରଣ ଦେଇ ଫସିଲେ ପ୍ରଫେସର; ହେଲେ ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଲିଗଡ଼ ୟୁନିଭର୍ସିଟିରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କୁ ନେଇ ଦୁଷ୍କର୍ମ ଉଦାହରଣ ଦେଇ ଫସିଲେ ପ୍ରଫେସର । ତେବେ ଦୁଷ୍କର୍ମ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଯାଇ ଅଧ୍ୟାପକ ଯେଉଁ ସବୁ ଉଦାହରଣ ଦେଇଥିଲେ, ସେଥିପାଇଁ ତାଙ୍କୁ ନିଲମ୍ବିତ କରଯାଇଛି। ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଅଧ୍ୟାପକ ଡ. ଜିତେନ୍ଦ୍ର କୁମାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଭାରତରେ ଦୁଷ୍କର୍ମ ଏବଂ ଏହାର ଐତିହାସିକ ଓ ଧାର୍ମିକ ପ୍ରସଙ୍ଗ ବିଷୟରେ ଡ. ଜିତେନ୍ଦ୍ର କୁମାର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ।

ଏହି ସମୟରେ ଏକ ସ୍ଲାଇଡ ସୋ’ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କୁ ଦୁଷ୍କର୍ମର ଇତିହାସ ବିଷୟରେ ଜଣାଇଥିଲେ। ସ୍ଲାଇଡ ସୋ’ ମାଧ୍ୟମରେ ବ୍ରହ୍ମା ତାଙ୍କ ଝିଅକୁ ଦୁଷ୍କର୍ମ କରିବା ବିଷୟରେ, ଇନ୍ଦ୍ର ଋଷି ଗୌତମଙ୍କ ବେଶ ଧାରଣ କରିବା ବିଷୟରେ ଏବଂ ରାଜା ଜଲନ୍ଧରଙ୍କ ସ୍ତ୍ରୀଙ୍କୁ ଭଗବାନ ବିଷ୍ଣୁ ଦୁଷ୍କର୍ମ କରିବା ବିଷୟରେ କହିଥିଲେ ଜିତେନ୍ଦ୍ର କୁମାର। ଏହା ସହ ନିର୍ଭୟା ଏବଂ ମଥୁରା ଦୁଷ୍କର୍ମ ଘଟଣା ବିଷୟରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଏନେଇ ଏଏମୟୁ ଛାତ୍ରଛାତ୍ରୀ ଟ୍ବିଟ କରି ଏହାର ବିରୋଧ କରିବା ପରେ ଏବେ ଜିତେନ୍ଦ୍ର କୁମାରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଏଏମୟୁ। ଏହିପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଦୁଇ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଟି ଗଠନ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts