(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍କାଉଣ୍ଟର କରାଯାଇଛି। ଆଜି ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ତାକୁ ଏନ୍କାଉଣ୍ଟର କରାଯାଇଥିବା ନେଇ ସୂଚନା ରହିଛି। ପୁଲିସ କବ୍ଜାରୁ ଖସି ପଳାଉଥିବା ବେଳେ ଏନ୍କାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ରାସ୍ତାରେ ପରିସ୍ରା ଯିବାକୁ ବାହାନା କହିଥିଲା ଗ୍ୟାଙ୍ଗଷ୍ଟର ହାଇଦର । ସିମୁଳିଆ ନିକଟରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା ପୋଲିସ । କିନ୍ତୁ ପରିସ୍ରା ବାହାନାରେ ଖସିଯିବାର ଯୋଜନା ବନାଇଥିଲା ହାଇଦର । ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର ଆଉ ପୋଲିସ ତାକୁ କାବୁ କରିବାକୁ ଯାଇ ସିମୁଳିଆ ନିକଟରେ ହିଁ ଏନକାଉଣ୍ଚଟର କରିଥିବା ନେଇ ସୂଚନା ମିଳିଛି ।
ପୋଲିସର ଗୁଳିରେ ହାଇଦର ଗୁରୁତର ଆହତ ହୋଇଛି। ପରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବାର ସୂଚନା ମିଳୁଛି । ଏପଟେ କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା ମୁତାବକ ଫେରାର୍ ଉଦ୍ୟମ କରୁଥିବା ସମୟରେ ପୋଲିସ ତାକୁ ଗୁଳି ମାରିଥିଲା ।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ହାଇଦର କଟକ ଏସସିବି ହସ୍ପିଟାଲରୁ ଫେରାର୍ ହୋଇଯାଇଥିଲା । ଏହାପରେ ପୋଲିସର ଜୋରଦାର ଉଦ୍ୟମ ପରେ ପୋଲିସ ହାଇଦରକୁ ହାଇଦ୍ରାବାଦର ସଙ୍ଗାରେଡି ଜିଲ୍ଲାରୁ ଗିରଫ କରିଥିଲା । ଏହାପରେ ତାକୁ ଚୌଦାର ଜେଲରେ ରଖାଯାଇଥିଲା । ଆଜି ତାକୁ ଚୌଦାରରୁ ବାରିପଦା ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ ଏନକାଉଣ୍ଟର କରିଛି ।