(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୁଖ୍ୟତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଆଜି ପରିସ୍ରା କରିବା ବାହାନାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା। 

କଟକରୁ ବାରିପଦା ନିଆଯାଉଥିବା ବାଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏନକାଉଣ୍ଟର ପରେ ତାକୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନର ତାଜା ସୂଚନା ମୁତାବକ ଚିକିତ୍ସାଧିନ ଅବସ୍ଥାରେ ହାଇଦରର ମୃତ୍ୟୁ ଘଟିଥିବା କୁହାଯାଉଛି। 

ଏନକାଉଣ୍ଟର ପରେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରଯାଇ ଥିଲା । ସେ ଷ୍ଟ୍ରେଚରରେ ପଡ଼ିଥିବା ଦେଖିବାକୁ ମିଳୁଛି। ତେବେ ହାଇଦ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଥିବାରୁ ସେଠାରେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାସହ ପୂରା ସହରକୁ ପୁଲିସ ଛାଉଣି କରାଯାଇଥିବା ସୂଚନା ମିଳିଛି । 

କଟକ ଚୌଦ୍ୱାର ଜେଲ୍‌ରୁ ଆଜି ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲ୍‌କୁ ନିଆଯାଉଥିଲା। ବାଲେଶ୍ୱରର ସିମୁଳିଆ ନିକଟରେ ପରିସ୍ରା କରିବାକୁ କହିଥିଲା ହାଇଦର ଏବଂ ପରିସ୍ରା କରୁଥିବା ବେଳେ ପୋଲିସକୁ ଚକମା ଦେଇ ଚାଲି ଯିବାକୁ ଚେଷ୍ଟା କରୁଥିଲା। ଏମିତିକି ପୋଲିସ୍ ଠାରୁ ବନ୍ଧୁକ ଛଡ଼ାଇ ନେଇ ଖସିଯିବା ପାଇଁ ଉଦ୍ୟମ କରାଯାଉଥିବା କୁହାଯାଉଛି। ପରେ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲେ। ଏବଂ ତାର ପେଟରେ ଗୁଳି ବାଜିଥିବା କୁହାଯାଉଛି। 

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ସେଠାରୁ ଚକମା ଦେଇ ଖସି ପଳାଇଥିଲା ହାଇଦର। ତାକୁ ଜଗୁଥିବା  ଜଣେ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ପ୍ରଥମେ ସୂଚନା ମିଳିଥିଲା। ପରେ ଏହି ଫେରାର ଘଟଣାରେ ନିୟୋଜିତ ହୋଇଥିବା ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଥିଲା। ପରେ ହାଇଦ୍ରାବାଦର ସଙ୍ଗାରେଡ୍ଡୀ ଜିଲ୍ଲାରୁ ତାକୁ ଗିରଫ କରାଯାଇଥିଲା।