ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣିଥରେ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ସମାଧାନର ବାଟ ଫିଟାଇବା ପାଇଁ ଉଦ୍ଦିଷ୍ଟ ତଥ୍ୟକୁ ନେଇ ବି ଉଭୟ ରାଜ୍ୟ ସହମତ ହୋଇସାରିଛନ୍ତି। ଗତକାଲି ଟ୍ରିବ୍ୟୁନାଲ୍‌ର ଶୁଣାଣି ବେଳେ ଏହା ସ୍ପଷ୍ଟ ହୋଇଛି। ଟ୍ରିବ୍ୟୁନାଲ୍‌ ଏହି ତଥ୍ୟକୁ ବି ସାର୍ବଜନୀନ କରିଛନ୍ତି। ଏହାଛଡ଼ା ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ପ୍ରକାଶ ପାଇଥିବା ତତ୍ପରତାକୁ ମଧ୍ୟ ଟ୍ରିବ୍ୟୁନାଲ୍‌ ପ୍ରଶଂସା କରିଛନ୍ତି।

ଟ୍ରିବ୍ୟୁନାଲ ଜାରି କରିଥିବା ତଥ୍ୟରେ ବିରାଟ ଅସଙ୍ଗତି ଥିବା ନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନ ଉଠିଛି। ଆଉ ଏହା ପରୋକ୍ଷରେ ଓଡ଼ିଶାର ସାଂଘାତିକ କ୍ଷତି ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରିକି ଛତିଶଗଡ଼ ବାର୍ଷିକ ୮.୫ ମିଲିଅନ ଏକର ଫୁଟ୍ ପାଣିକୁ ଚୋରି କରୁଥିବା ବେଳେ ସେହି ତଥ୍ୟକୁ ବି ବୈଷୟିକ କମିଟି ଲୁଚାଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି।

ସେପଟେ ୮ବର୍ଷ ପରେ ବହୁ ପ୍ରତୀକ୍ଷିତ ମହାନଦୀ ଜଳ ବିବାଦ ମାମଲା ଏବେ ସମାଧାନ ଆଡ଼କୁ ଅଗ୍ରସର ହୋଇଛି। ଗତକାଲି ଶୁଣାଣିରେ ମଧ୍ୟ ପୁଣିଥରେ ଉଭୟ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ପାଇଁ ସହମତି ପ୍ରକାଶ ପାଇଛି। ଏପରିକି ଚୂଡ଼ାନ୍ତ ସମାଧାନ ପୂର୍ବରୁ ମହାନଦୀରେ ବାର୍ଷିକ ପାଣିର ଉପଲବ୍ଧତାକୁ ନେଇ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ସ୍ବୀକାର କରି ସାରିଛନ୍ତି। ଟ୍ରିବ୍ୟୁନାଲ୍‌ ଏହି ତଥ୍ୟକୁ ମଧ୍ୟ ସାର୍ବଜନୀନ କରିଛନ୍ତି।

ଏହାଛଡ଼ା ଏହି ତଥ୍ୟ ଆଧାରରେ ପାଣିର ଭାଗବଣ୍ଟା କଥା ଆଗକୁ ବଢ଼ିବ ବୋଲି ବି ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ, ଏହି ମାମଲାର ଆପୋସ ସମାଧାନ ପାଇଁ ଉଭୟ ରାଜ୍ୟର ଆଡଭୋକେଟ ଜେନେରାଲ୍‌ଙ୍କ ସମେତ ଜଳସଂପଦ ବିଭାଗର ପଦାଧିକାରୀ ଏବଂ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ରିବ୍ୟୁନାଲ୍‌ ପ୍ରଶଂସା କରିଛନ୍ତି। ଏହାଛଡ଼ା ଆସନ୍ତା ମେ ୩୦କୁ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।