ନିର୍ବାଚନ ଶେଷ ହେବା ପରେ ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦର: ୧୩ ଦିନରେ ୧୧ ଥର ବଢ଼ିଲାଣି ତେଲ ଦର

୫ ରାଜ୍ୟର ସରିଛି ବିଧାନସଭା ନିର୍ବାଚନ | ତେବେ ନିର୍ବାଚନ ସରିଲେ ପେଟ୍ରୋଲ ଓ ଡିଜେଲ ଦର ବଢିବା ନେଇ କରାଯାଉଥିବା ଆଶଙ୍କା ଏବେ ସତ ପାଲଟିଛି | ବିଗତ ୧୩ ଦିନରେ ୧୧ ଥର ତେଲ ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଦରରେ ୮୬ ପଇସା ଓ ଡିଜେଲ ଲିଟର ପିଛା ଦର ୮୫ ପଇସା ବୃଦ୍ଧି ହୋଇଛି ।

ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୩୬ ପଇସା ଓ ଡିଜେଲ ଲିଟର ୧୦୦ ଟଙ୍କା ୧୨ ପଇସା ହୋଇଛି । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୮ଟଙ୍କା ୪୧ ପଇସା ଓ ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୦୩ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୮୨ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ୭୫ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ। ମୂଲ୍ୟ ବୃଦ୍ଧି ପରେ ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୯୬ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୯ଟଙ୍କା ୦୪ପଇସାରେ ବିକ୍ରି ହେଉଛି।

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି।

୧୩ ଦିନରେ ପେଟ୍ରୋଲ ଦର ମୋଟ୍ ୮ ଟଙ୍କା ୫୬ ପଇସା ଓ ଡିଜେଲ ଲିଟର ପିଛା ଦର ୮ ଟଙ୍କା ୪୯ ପଇସା ବୃଦ୍ଧି ହୋଇସାରିଲାଣି । ଏକକାଳୀନ ୮ ଟଙ୍କା ଦର ବୃଦ୍ଧି ହୋଇଥିଲେ ଗ୍ରାହକଙ୍କୁ ସିଧାସଳଖ ବାଧିଥାନ୍ତା ଓ ଅସନ୍ତୋଷ ବଢିଥାନ୍ତା । ସେଥିପାଇଁ ପ୍ରତିଦିନ ଅଳ୍ପ ଅଳ୍ପ କରି ତେଲ ଦର ବଢାଇ ଚାଲିଛନ୍ତି ତେଲ କମ୍ପାନି ।

ଏପରି ସ୍ଥଳେ ତେଲ ଦର ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବୋଲି ବିିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ ତାରିଖରୁ ତେଲ ଦର ସ୍ଥିର ରହିଥିଲା । ଏପରିକି ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୮୪ ଡଲାରରୁ ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଖୁଚୁରା ବଜାରରେ ତେଲର ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁ ତେଲ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୮୦ ଟଙ୍କା ବଢିଛି । ଯାହା ସାଧାରଣ ଲୋକଙ୍କ ପକେଟ ଖର୍ଚ୍ଚ ଉପରେ ପ୍ରଭାବ ପଢିବ ବୋଲି ଆଶା କରାଯାଉଛି ।

Related Posts