ସୋନିଆଙ୍କୁ ଭେଟିବା ପାଇଁ ୧୦ ଜନପଥ ପହଞ୍ଚିଲେ ଗୁଲାମ ନବି ଆଜାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋନିଆଙ୍କୁ ଭେଟିବା ପାଇଁ ୧୦ ଜନପଥ ପହଞ୍ଚିଲେ ଗୁଲାମ ନବି ଆଜାଦ । ଏହା ପୂର୍ବରୁ ସୋନିଆ ଗୁରୁବାର ଆଜାଦଙ୍କ ସହ ଦୁଇ ଥର କଥା ହୋଇଥିଲେ। ଅନ୍ୟପଟେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅସନ୍ତୁଷ୍ଟ ଗୋଷ୍ଠୀର ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଭେଟି ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୪୫ ମିନିଟ୍ ଧରି ହୋଇଥିଲା। ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ବିଦ୍ରୋହ ଦେଖିବାକୁ ମିଳିଛି। ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଜି-୨୩। ଏହି ବିଦ୍ରୋହୀ ଗୋଷ୍ଠୀ ଦୁଇ ଦିନରେ ଦୁଇଟି ବୈଠକ କରି ସାରିଛି।

ଗୁଲାମ ନବି ଆଜାଦଙ୍କ ଘରେ ଆୟୋଜିତ ବୈଠକରେ କପିଲ୍ ସିବଲ, ଶଶି ଥରୁର, ଆନନ୍ଦ ଶର୍ମା, ମନୀଷ ତିଓ୍ଵାରୀ, ଭୂପିନ୍ଦର ହୁଡ୍ଡା, ଅଖିଲେଶ ପ୍ରସାଦ ସିଂହ, ପୃଥ୍ଵୀରାଜ ଚହ୍ଵାଣ, ରାଜ ବବ୍ବର, ପିଜେ କୁରିୟନ ଏବଂ ମଣିଶଙ୍କର ଆୟର ସାମିଲ ଥିଲେ। ଏହା ପୂର୍ବରୁ ଜି-୨୩ ଗ୍ରୁପର ସଦସ୍ୟ ନିର୍ବାଚନ ଫଳାଫଳ ଦିନ ମଧ୍ୟ ବୈଠକ କରିଥିଲେ ଏବଂ ଗୋଟିଏ ସ୍ଵରରେ ପାର୍ଟିର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରିଥିଲେ। ବର୍ତ୍ତମାନ ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ବର୍ଗଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ତେବେ ଆଜି ଉଭୟଙ୍କ ବୈଠକରେ କୌଣସି ନିଷ୍କର୍ଷ ବାହାରିବ କି ? ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Related Posts