ଗୁଲାମନବୀ ଆଜାଦଙ୍କର ଡିଏନଏ “modi-fied” ହୋଇଯାଇଛି : ଜୟରାମ ରମେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପରେ ଦଳ ତାଙ୍କ ଉପରେ ବର୍ଷିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜାଦଙ୍କ ଚରିତ୍ର ଉପରେ ପ୍ରଶ୍ନ କରିଛନ୍ତି । ନିଜ ବିବୃତ୍ତିରେ ରମେଶ କଟାକ୍ଷ କରି କହିଛନ୍ତି ଯେ, ଗୁଲାମ ନବୀ ଆଜାଦଙ୍କର ଡିଏନଏ “modi-fied” ହୋଇଯାଇଛି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଦ୍ୱାରା ଏତେ ସମ୍ମାନ ଦିଆଯାଇଥିଲା, ମାତ୍ର ସେ ଅତ୍ୟନ୍ତ ବ୍ୟକ୍ତିଗତ ଏବଂ ଅଶ୍ଳୀଳ ଆକ୍ରମଣ କରି ଦଳ ସହ ବିଶ୍ୱାସଘାତକତା କରିଛନ୍ତି । ଜୟରାମ ରମେଶ ଆହୁରି କହିଛନ୍ତି ଯେ, ଦଳର ଏପରି ସମୟରେ ଗୁଲାମ ନବୀଙ୍କ ଇସ୍ତଫା ଦୁର୍ଭାଗ୍ୟଜନକ । ତାଙ୍କ ଇସ୍ତଫା ଆମ ପାଇଁ ଦୁଃଖର ବିଷୟ । ବର୍ତ୍ତମାନ ଗରିବ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ସମୟ ଆସିଥିଲା କିନ୍ତୁ ସେ ଇସ୍ତଫା ଦେଲେ । କଂଗ୍ରେସ ଏହି ସମୟରେ ସରକାରଙ୍କ ବିରୋଧରେ ଏକ ଜୋରଦାର ଅଭିଯାନ ଚଳାଉଛି, ଏହି ସମୟରେ ସମସ୍ତେ ଏକାଠି ହେବା ଉଚିତ୍ ।

ସେହିପରି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଆଜାଦ୍ ଦଳ ଛାଡିବା ଏକ ଦୁଃଖର କଥା । ଏହା ସହ ସେ କହିଛନ୍ତି କି, ଯେତେବେଳେ କଂଗ୍ରେସ ଦେଶରେ ଦରବୃଦ୍ଧି, ବେରୋଜଗାରୀ ଭଳି ସମସ୍ୟା ସହ ସମସ୍ତ ଶକ୍ତି ଖଟାଇ ଲଢୁଛି ସେତେବେଳେ ଗୁଲାମନବୀଙ୍କ ଭଳି ନେତା ଦଳ ଛାଡିବା ଏକ ପରିତାପର ବିଷୟ । ସେ କହିଛନ୍ତି ଯେ ଆମେ ଆଶା କରିଥିଲୁ ଯେ ଆଜାଦଙ୍କ ଭଳି ବରିଷ୍ଠ ନେତାମାନେ ବିରୋଧୀ ଏବଂ ଲୋକଙ୍କ ସ୍ୱରକୁ ଶକ୍ତି ପ୍ରଦାନ କରିବେ, କିନ୍ତୁ ସେମାନେ ତାହା କରିନାହାଁନ୍ତି ।

Related Posts