ବେଗୁନିଆ ଟୋଲ ଗେଟ ନିକଟରେ ଗୋ ସୁରକ୍ଷାକାରୀଙ୍କୁ ଗୋ ମାଫିଆଙ୍କ ଗୁଳି ମାଡ଼ ଘଟଣା: ୧୧ ଜଣକୁ ଗିରଫ କଲା ପୋଲିସ

କରଞ୍ଜିଆ: ଗୋ ସୁରକ୍ଷାକାରୀଙ୍କ ଉପରକୁ ଗୁଳି ମାଡ଼ କରିଛନ୍ତି ଗୋ ମାଫିଆ | ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲ ଗେଟ ନିକଟରେ ଗୋ ମାଫିଆଙ୍କ ଗାଡିକୁ କିଛି ଗୋ ସୁରକ୍ଷାକାରୀ ଅଟକାଇଥିଲେ | ପରେ ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲେ | ପରେ ଏଥିରେ ଉତ୍କ୍ଷିପ୍ତ ହୋଇ ଗୋ ସୁରକ୍ଷାକାରୀଙ୍କ ଉପରକୁ ଗୋ ମାଫିଆ ଗୁଳି ମାଡ଼ କରିଥିଲେ | ଏହି ଘଟଣାରେ ୧୧ ଜଣକୁ ଗିରଫ କଲା ପୋଲିସ । ଚାରୋଟି ୪ ଚକିଆ ଗାଡି ସହ ଗୋଟିଏ ୧୬ ଚକିଆ ଟ୍ରକ ଜବତ । ତାଙ୍କ ଠାରୁ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ପୋଲିସର ୨ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ବିଶ୍ୱାଳ । ସୂଚନା ଥାଉକି, ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ତେବେ ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ୪୦ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଦୁଇ ଗୋସୁରକ୍ଷା କର୍ମୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଯଶୀପୁର ଓ ପରେ ବାରିପଦା PRM ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି । ଉଭୟଙ୍କ ଚିକିତ୍ସା ଚାଲିଛି |

Related Posts