ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଏ ବର୍ଷ ରାଜ୍ୟରେ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର,୨୪/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବଢ଼ିବନି ବିଜୁଳି ଦର । ୨୦୨୨-୨୩ ବର୍ଷ ଭଳି ପରି ୨୦୨୩-୨୪ ଆର୍ଥିକ ବର୍ଷରେ ମଧ୍ୟ ଅପରିବର୍ତ୍ତିତ ରହିବ ବିଜୁଳି ଦର । ଏହା ସହ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୧୦ ପଇସା ରିହାତି ବ୍ୟବସ୍ଥା କରାଯାଇଛି । ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ ପହିଲାରୁ ଏହି ବ୍ୟବସ୍ଥା ଲାଗୁ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ।

ଓଇଆରସିର ସଚିବ କହିଛନ୍ତି ଯେ, ବିଦ୍ୟୁତ ଦର ନେଇ ଓଇଆରସିରେ ଶୁଣାଣୀ ହୋଇଛି । ୨୦୨୩-୨୪ ଆର୍ଥିକବର୍ଷରେ ବିଦ୍ୟୁତ ଦର ବୃଦ୍ଧି ନକରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ । ସେହିଭଳି ଶୀତଳ ଭଣ୍ଡାରରେ ଚାଷୀଙ୍କ ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ରିହାତି ଦିଆଯାଇଛି । ପୂର୍ବରୁ ଏହା ୪ ଟଙ୍କା ୬୦ ଥିବା ବେଳେ ଏବେ ୩ ଟଙ୍କା ଦେବାକୁ ହେବ । ପୂର୍ବବର୍ଷ ଭଳି ୦ ରୁ ୫୦ ୟୁନିଟ ଯାଏଁ ଦର ୩ ଟଙ୍କା ରହିବ । ୫୦ ରୁ ୨୦୦ ୟୁନିଟ ଯାଏଁ ଦର ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ ।

ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ । ତେବେ ବିଲ୍ ପୈଠ ପାଇଁ ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଏହା ୩ ପ୍ରତିଶତ ମିଳୁଥିଲା । ସେହିପରି ରେଳବାଇରେ ବିକାଶ ଲାଗି ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓଇଆରସି । ଏହା ଦ୍ଵାରା ରେଳ ବିକାଶ କାର୍ଯ୍ୟକୁ ଶକ୍ତି ମିଳିବ । ଏତତ୍ ବ୍ୟତୀତ ଘରୋଇ ଉପଭୋକ୍ତାଙ୍କ ପାଇଁ ଡିପିଏସ ଛାଡ଼ କରାଯାଇଛି । ଅର୍ଥାତ ବିଳମ୍ବରେ ବିଲ ପୈଠ କଲେ ପେନାଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି । କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ ୧୩ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଏଆରଆର ଏବଂ ତାରିଫ ବାବଦରେ ଶୁଣାଣି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଇଆରସି ପିଏଓ ସଞ୍ଜୟ ରାଉତ ଉପସ୍ଥିତ ଥିଲେ ।

Related Posts