ଶିବସେନା ସଂସଦୀୟ ଦଳ ନେତା ପଦରୁ ବିଦା ହେଲେ ସଞ୍ଜୟ ରାଉତ

ଭୁବନେଶ୍ୱର,୨୪/୩ (ସତ୍ୟପାଠ ବ୍ୟୁରୋ): ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରୁ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି। ଏହାପରେ ଏକନାଥ ସିନ୍ଦେ ଶିବସେନା ଦଳ ମଧ୍ୟରେ ନିଜର ଦବଦବା ଜାହିର କରିବାରେ ଲାଗିଛନ୍ତି। ଏହି କ୍ରମରେ ଏକନାଥ ସିନ୍ଦେ ଗୁରୁବାର ଦଳର ବରିଷ୍ଠ ନେତା ତଥା ଉଦ୍ଧବ ଗୋଷ୍ଠୀରେ ସାମିଲ ଥିବା ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ଦଳ ନେତା ପଦରୁ ବିଦା କରିଛନ୍ତି। ତାଙ୍କ ବଦଳରେ ଲୋକସଭା ସାଂସଦ ଗଜାନନ କିରତିକରଙ୍କୁ ଶିବସେନାର ସଂସଦୀୟ ନେତା ଭାବେ ନିଯୁକ୍ତ କରାଯାଇଛି।

ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀବ ଧନଖଡଙ୍କୁ ଶିବସେନାର ମୁଖିଆ ସିନ୍ଦେ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଏଣିକି ଶିବସେନାର ସଂସଦୀୟ ନେତା ଭାବେ ଗଜାନନ କାମ କରିବେ ବୋଲି ସେ ଚିଠିରେ କହିଛନ୍ତି। ଏହି ନିଷ୍ପତ୍ତି ପରେ ସଂସଦର ତୃତୀୟ ମହଲାରେ ଥିବା ଶିବସେନାର ସଂସଦୀୟ କାର୍ଯ୍ୟାଳୟରେ ଗଜାନନଙ୍କୁ ଦଳୀୟ ସାଂସଦମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବା ବେଳେ କେବଳ ୪ ଜଣ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଛନ୍ତି। ନିକଟରେ ନିର୍ବାଚନ କମିଶନ ଶିବସେନାର ଦଳର ପୂରା କମାଣ ସିନ୍ଦେଙ୍କୁ ଦେବା ପରେ ଆଜି ସେ ଉଦ୍ଧବଙ୍କ ଗୋଷ୍ଠୀର ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ନେତା ପଦରୁ ବିଦା କରିଛନ୍ତି। ସଞ୍ଜୟ ରାଉତ ଶିବସେନାର ରାଜ୍ୟସଭା ସାଂସଦ ରହିଛନ୍ତି। ତେବେ ପୂର୍ବରୁ ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭାରେ ଥିବା ଶିବସେନା କାର୍ଯ୍ୟାଳୟକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଥିଲେ। ଅନ୍ୟପଟେ ଦଳକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେ ଆଇନଗତ ଲଢେଇ ଜାରି ରଖିଛନ୍ତି।

Related Posts