(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକ ବିଜେପି ସରକାରରେ ବିଭାଗ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ଆନନ୍ଦ ସିଂ। ନୂତନ କ୍ୟାବିନେଟରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ଆନନ୍ଦ ସିଂ ଅସନ୍ତୋଷ ପ୍ରକାଶ କରି ବିଜୟାନଗର ଜିଲ୍ଲାର ହୋସପେଟରେ ଥିବା ତାଙ୍କ ବିଧାୟକଙ୍କ କାର୍ଯ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ବିଏସ ୟେଦ୍ୟୁରପ୍ପା ସରକାର ସମୟରେ ତାଙ୍କ ପାଖରେ ବନ ବିଭାଗ ଥିଲା। ସୂଚନା ମୁତାବକ ସେ ନୂତନ କ୍ୟାବିନେଟ ବୈଠକରେ ଶକ୍ତି ବିଭାଗ ଏବଂ ଜଙ୍ଗଲ ବିଭାଗ ପାଇବାକୁ ଆଗ୍ରହୀ ଥିଲେ।
ହେଲେ ଏହି ପଦ ମିଳିନଥିବାରୁ ଆନନ୍ଦ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି। ମନ୍ତ୍ରୀ କହିଛନ୍ତି, ମୋର ରାଜନୀତିକ କ୍ୟାରିୟର ଗୋପାଳକୃଷ୍ଣ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏବେ କିନ୍ତୁ ମୋର ରାଜନୀତିକ କ୍ୟାରିୟର ଶେଷ ହୋଇପାରେ। ଯଦି ମୁଁ ଗୋପାଳକୃଷ୍ଣଙ୍କ ଆଶୀର୍ବାଦ ପାଇବି ତେବେ ନୂଆ ଅଧ୍ୟାୟ ଆରମ୍ଭ କରିପାରେ। ଏଭଳି ବିବୃତ୍ତି ଦେବା ପୂର୍ବରୁ ଆନନ୍ଦ ସିଂ ମନ୍ଦିରକୁ ଯାଇ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସାମ୍ବାଦିକମାନଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ କହିଛନ୍ତି ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ଏବଂ ସେ ଆନନ୍ଦ ସିଂଙ୍କ ସହ କଥା ହେବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ଏବଂ ଆନନ୍ଦ ସିଂ ପ୍ରାୟ ତିନି ଦଶନ୍ଧି ଧରି ବନ୍ଧୁ ହୋଇ ଆସିଛୁ। ଆମେ ପରସ୍ପର ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ମୁଁ ଗତକାଲି ତାଙ୍କ ସହ କଥା ହୋଇଥିଲି। ଆଜି ବି ମୁଁ ତାଙ୍କ ସହ କଥା ହେବି। ମୁଁ ତାଙ୍କ ମତାମତ ବିଷୟରେ ଅବଗତ ଅଛି ଏବଂ ମୁଁ ମଧ୍ୟ ମୋର ମତ ପ୍ରକାଶ କରିଛି । ସେ ଆସି ମୋ ସହ କଥା ହେବା ପରେ ସବୁ ଠିକ୍ ହୋଇଯିବ। ”
୨୦୧୯ ରେ କଂଗ୍ରେସରୁ ବିଜେପିକୁ ଆସିଥିବା ଆନନ୍ଦ ସିଂଙ୍କୁ ନିକଟରେ ଗଠିତ ହୋଇଥିବା କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟରେ ପର୍ଯ୍ୟଟନ, ପରିବେଶ ବିଭାଗ ଦିଆଯାଇଛି । ଯାହାକୁ ନେଇ ସେ ଏବେ ଅସନ୍ତୁଷ୍ଟ ଅଛନ୍ତି।
କର୍ଣ୍ଣାଟକ ବିଜେପି ସରକାରରେ କେବଳ ଜଣେ ‘ବିଦ୍ରୋହୀ’ ନୁହଁନ୍ତି
କର୍ଣ୍ଣାଟକରେ ବିଏସ୍ ୟେଦୁରୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ବାସଭରାଜ ବମ୍ମାଇଙ୍କ ପାଇଁ ଆନନ୍ଦ ସିଂ କେବଳ ଜଣେ ଅସନ୍ତୁଷ୍ଟ ନୁହନ୍ତି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅନ୍ୟ ଜଣେ ମନ୍ତ୍ରୀ ଏମଟିବି ନାଗରାଜ ମଧ୍ୟ ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନାଗରାଜଙ୍କୁ ମ୍ୟୁନିସିପାଲିଟି ପ୍ରଶାସନ ତଥା କ୍ଷୁଦ୍ର ଏବଂ ସରକାରୀ କ୍ଷେତ୍ର ଶିଳ୍ପ ପୋର୍ଟଫୋଲିଓ ପ୍ରଦାନ କରାଯାଇଥିବାବେଳେ ସେ ଗୃହ ବିଭାଗ ଚାହୁଁଛନ୍ତି ବୋଲି ଜଣାପଡିଛି। ଅଗଷ୍ଟ ୧୧ ରେ ନାଗରାଜ କହିଛନ୍ତି ଯେ ସିଏମ୍ ବମ୍ମାଇ ତାଙ୍କୁ ଶୀଘ୍ର ପୋର୍ଟଫୋଲିଓ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ବିଶ୍ୱାସ ଅଛି।
ଉଭୟ ନାଗରାଜ ଏବଂ ସିଂ 2019ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ଜେଡି (ଏସ) -କଂଗ୍ରେସ ସରକାରକୁ ଭାଙ୍ଗି ବିଜେପିକୁ କ୍ଷମତାକୁ ଆଣିବାରେ ସେମାନଙ୍କର ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ପସନ୍ଦର ପୋର୍ଟଫୋଲିଓ ଦାବି କରୁଛନ୍ତି।