ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତିନୋଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୫ ଲକ୍ଷ ଟଙ୍କା ଜମା ଓ ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର  ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ବିବୃତ୍ତି ନଦେବାକୁ ମଧ୍ୟ ହାଇକୋର୍ଟ ତାଗିଦ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଦୀପ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ଛନ୍ଦି ହୋଇ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା।  ଏହାପରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଲିଙ୍କ୍, ବେଆଇନ ଅର୍ଥ କାରବାର ଓ ଚାକିରୀ ଦେବା ନାଁରେ ଠକାମି ମାମଲାରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । 

Related Posts