ପଶ୍ଚିମବଙ୍ଗକୁ ରାଜ୍ୟପାଳ ଧନକଡ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସହ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି : ଟିଏମସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ଶାସକ ଟିଏମସି ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜ୍ୟପାଳ ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ ଟିଏମସି ଏହାକୁ ଖଣ୍ଡନ କରୁଛି। ଟିଏମସି ଅଭିଯୋଗ କରିଛି ଯେ ରାଜ୍ୟପାଳ ଧନକଡ ବେଙ୍ଗଲକୁ ପାଲେଷ୍ଟାଇନ ଏବଂ ଇସ୍ରାଏଲ ଯୁଦ୍ଧ ସହ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି । ଟିଏମସି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ପ୍ରତିଦିନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ରୟ କହିଛନ୍ତି, “ରାଜ୍ୟପାଳ ବିଜେପି ମୁଖପାତ୍ରଙ୍କ ଭଳି ପ୍ରତିଦିନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି। ସେ ଏଭଳି ମତ ଦେବାକୁ ଚେଷ୍ଟା କରୁଛନ୍ତି ଯେପରି ବେଙ୍ଗଲରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।” ଏହା ଏକ “ନିର୍ଦ୍ଦିଷ୍ଟ ଯୋଜନା” ର ଅଂଶ ବୋଲି ସେ ଅଭିଯୋଗ କରିଛନ୍ତି। ଟିଏମସି ସାଂସଦ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଯାଇଛି ବୋଲି ଦର୍ଶାଇବାକୁ ରାଜ୍ୟପାଳ ଏଭଳି ବୟାନ ଦେଉଥିବା ସେ କହିଛନ୍ତି । ବେଙ୍ଗଲ ବିଧାନସଭା ନିର୍ବାଚନରେ ​​ବିଜେପି ପରାଜୟ ହେବା ପର ଠାରୁ ଟିଏମସି ବିରୋଧରେ ଏକ ଷଡଯନ୍ତ୍ର କରାଯାଇ ଏଭଳି କରାଯାଉଛି ବୋଲି ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ଅଭିଯୋଗ କରିଛନ୍ତି। ରାଜ୍ୟପାଳ ଜଗଦୀପ ଧନକଡଙ୍କ ଚାରି ଦିନିଆ ନୂଆଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳ କାହିଁକି ନୂଆଦିଲ୍ଲୀ ଯାଉଛନ୍ତି ବୋଲି ଟିଏମସି ପ୍ରଶ୍ନ କରିଛି । ସୂଚନାଯୋଗ୍ୟ ମଙ୍ଗଳବାର ଦିନ ସେ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇ ଶୁକ୍ରବାର ଫେରିବେ ବୋଲି ରାଜ୍ୟପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧୀକାରୀ ସୋମବାର ଦିନ ବିଜେପି ବିଧାୟକଙ୍କ ଏକ ପ୍ରତିନିଧୀ ମଣ୍ଡଳ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହି ସାକ୍ଷାତକାର ପରେ ଧନକଡ ଟ୍ୱିଟ୍ କରି କହିଛନ୍ତି ଯେ ଆଧୀକାରୀ ତାଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅଭିଯୋଗ କରିଥିବା ସେ କହିଛନ୍ତି ।

Related Posts