ବାତ୍ୟା ସମୀକ୍ଷା ବୈଠକ ବୟକଟକୁ ନେଇ ରାଜ୍ୟପାଳ ଧନକଡଙ୍କ ବଡ ଖୁଲାସା – “ମମତା ମୋତେ ରାତି ୧୧.୧୬ ରେ ମେସେଜ୍ କରି କହିଲେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି ନାହିଁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଲଗାତାର ବିବାଦ ଦେଖିବାକୁ ମିଳୁଛି । ନିକଟରେ ୟାସ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟକଟ କରିଥିଲେ। ଆଉ ତାକୁ ନେଇ କେନ୍ଦ୍ର ଏବଂ ବେଙ୍ଗଲ ସରକାର ମୁହାଁମୁହିଁ ହୋଇଥିଲେ। ତେବେ ଏହି ବାବଦ ଥମି ଆସୁଥିବା ବେଳେ ରାଜ୍ୟପାଳ ଜଗଦୀପ ଧନକଡଙ୍କ ଏକ ବୟାନ ଏବେ ପୁଣି ଥରେ ରାଜନୀତି ସରଗରମ କରିଦେଇଛି। ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି, ମେ ୨୯ ରେ ଖବର ପ୍ରକାଶ ପାଇଲା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାମ୍ନାସାମ୍ନି ବୈଠକ ହୋଇଛି। କିନ୍ତୁ ସେହିଦିନ ସେପରି କୌଣସି ବି ବୈଠକ ହୋଇନଥିଲା । ମାତ୍ର ଏକ ମିନିଟ୍ ର ବୈଠକ ହୋଇଥିଲା। ବୈଠକ ପୂର୍ବଦିନ ରାତି ୧୧.୧୬ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋତେ ମେସେଜ୍ କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗଦେବେ ନାହିଁ। କାରଣ ସେହି ବୈଠକରେ ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ରହିବେ। ମୁଁ (ରାଜ୍ୟପାଳ) ତାଙ୍କୁ କହିଲି ସେ (ଶୁଭେନ୍ଦୁ ଅଧିକାରୀ) ହେଉଛନ୍ତି ବିରୋଧୀ ଦଳର ନେତା। ଏହା ପରଦିନ ସକାଳୁ ମୁଁ ତାଙ୍କୁ ଫୋନ କରି କହିଲି ଯେ ଆପଣ ବୈଠକକୁ ବୟକଟ କରନ୍ତୁ ନାହିଁ। ଏହି ବୈଠକ ଆମ ପାଇଁ, ସମ୍ବିଧାନ ପାଇଁ , ଆଇନ ବ୍ୟବସ୍ଥା ପାଇଁ ଓ ରାଜ୍ୟ ପାଇଁ ଭଲ ହେବ । ଦେଶର ପ୍ରଧାନମନ୍ତ୍ରୀଙ୍କ ପଦବୀକୁ ଏଭଳି ଅସମ୍ମାନ କରିବା ଉଚିତ ନୁହେଁ। ” ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, “ବାତ୍ୟା ପରେ ମୁଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯୋଜନା କରିଥିଲି। ବାତ୍ୟା ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଦେଖିବା ପାଇଁ ମୋତେ ସାଗର ଏବଂ ଦିଘା ଯିବାର ଥିଲା । ମୋର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାକୁ ଆସୁଥିବା ନେଇ ସୂଚନା ମିଳିଥିଲା । ସାଗର ଓ ଦିଘା ଯିବା ପାଇଁ ଯୋଜନା ଥିବାରୁ ତାଙ୍କୁ ବୈଠକ ଅଧାରୁ ଯିବାକୁ ପଡିଲା ବୋଲି କହିଥିଲେ । ” ଅନ୍ୟପକ୍ଷରେ ନିକଟରେ ରାଜ୍ୟପାଳ ଜଗଦୀପ ଧନକଡ ଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ସହ ମାନବ ଅଧିକାର ଆୟୋଗର ମୁଖ୍ୟଙ୍କୁ ଭେଟି ଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଧନକଡ କହିଛନ୍ତି ଯେ ପଶ୍ଚିମବଙ୍ଗ ପାଇଁ ମାନବ ଅଧିକାର ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥି ସହିତ ସେ କହିଥିଲେ ଯେ ମୁଁ ମାନବାଧିକାର ଆୟୋଗର ମୁଖ୍ୟ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ବହୁ ଦିନରୁ ଜାଣିଛି। ତେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ କ୍ରମାଗତ ଦେଖିବାକୁ ମିଳୁଛି। ନିକଟରେ ରାଜ୍ୟପାଳ ମମତା ବାନାର୍ଜୀଙ୍କୁ ଲେଖିଥିବା ଏକ ଚିଠି ସାର୍ବଜନୀନ ହେବା ପରେ ଟିଏମସି ରାଜ୍ୟପାଳଙ୍କୁ କଡା ସମାଲୋଚନା କରିଥିଲା । ସେହିପରି ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତକୁ ମଧ୍ୟ ଶାସକ ଟିଏମସି ବିରୋଧ କରିଥିଲା। ସେହିପରି ରାଜଭବନରେ ନିଜର ସମ୍ପର୍କିୟ ମାନଙ୍କୁ ନିଯୁକ୍ତି ଦେଇଥିବା ନେଇ ଟିଏମସି ସାସଂଦ ମହୁଆ ମୋଇତ୍ରା ଅଭିଯୋଗ କରିଥିଲେ।

Related Posts