ଗିନୀଜ ବୁକରେ ସ୍ଥାନ ପାଇଲେ ବ୍ରାଜିଲର ୧୦୦ ବର୍ଷୀୟ ବ୍ୟକ୍ତି: ଗୋଟିଏ କଂପାନୀରେ ୮୪ ବର୍ଷ ହେଲା କରୁଛନ୍ତି କାମ

ନୂଆଦିଲ୍ଲୀ: ବଦଳୁଛି ସମୟ, ବଦଳୁଛି ଚିନ୍ତା ଧାରା | ବଡ ହେବାରେ ଆଶା କିଛି ନୂଆ ଶିଖିବାର ଅଭିଳାଷ ମଣିଷକୁ ବେଶ ଉପରକୁ ନଉଛି | ଏହାରି ମଧ୍ୟରେ ପୁରୁଣା ସ୍ମୃତି ଓ ପୁରୁଣା ଜିନିଷ ଧୀରେ ଧୀରେ ଦୁରେଇ ଯିବାରେ ଲାଗିଛି | ଏହି ସବୁ ଆଜିକା ସମୟରେ ଏକ ସାଧାରଣ କଥା ପାଲଟି ଗଲାଣି | କିଏ ବାପା ମା ଙ୍କ ଠୁ ଦୁରେଇ ଯାଇ ନିଜ ସ୍ବପ୍ନ ପିଚ୍ଛାରେ ଦୌଡୁଛି ତ ଆଉ କିଏ ଅଧିକ ଦରମା ଆଶା ରେ ନିଜ ଗାଁ ଦେଶ ଏପରିକି ଗୋଟିଏ ପରେ ଗୋଟିଏ ଅଫିସ ବଦଳାଇବାରେ ଲାଗିଛି |

ଆଜିକାଲିର ଲୋକେ ଦରମା ବୃଦ୍ଧି ତଥା ଅନ୍ୟ କାରଣରୁ କମ୍ ଦିନରେ ଚାକିରି ସଂସ୍ଥା ବଦଳାଇ ଦେଉଛନ୍ତି । କିନ୍ତୁ ବ୍ରାଜିଲର ଜଣେ ୧୦୦ ବର୍ଷୀୟ ବ୍ୟକ୍ତି ଗୋଟିଏ କଂପାନୀରେ ୮୪ ବର୍ଷ ହେଲା କାମ କରି ଗିନୀଜ ବୁକରେ ସ୍ଥାନ ପାଇଛନ୍ତି ।

ଗିନୀଜ ୱାର୍ଲ୍ଡ ରେକର୍ଡ ଅନୁସାରେ ବ୍ରାଜିଲର ୱାଲ୍ଟର ଆର୍ଥମସ ନାଁରେ ଜଣେ ବ୍ୟକ୍ତି ଗୋଟିଏ କଂପାନୀରେ ୮୪ ବର୍ଷ ୯ଦିନ କାମ କରି ରେକର୍ଡ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଙ୍କର ଜନ୍ମ ବ୍ରାଜିଲର ସାନ୍ତା କ୍ୟାଟରୀନାର ଏକ ଛୋଟ ସହର ବ୍ରୁସ୍କରେ ହୋଇଥିଲା । ସେ ହେଉଛନ୍ତି ଜଣେ ଜର୍ମାନୀ ମୂଳ ନିବାସୀ । ପିଲାଟି ଦିନରୁ ସେ ପଢ଼ିବାକୁ ଭଲପାଉଥିଲେ । ସେ ବହୁତ ଚତୁର ଥିଲେ । କୌଣସି କାମକୁ ମନ ଲଗାଇ କରୁଥିଲେ । ୧୫ ବର୍ଷ ବୟସରେ ପରିବାରକୁ ଆର୍ଥିକ ସହାୟତା ଦେଉଥିଲେ ।

ୱାଲ୍ଟର ୧୯୩୮ରେ ବୁନାଇ ମିଲ, ଇଣ୍ଡଷ୍ଟ୍ରିୟାସ ରେନୋକ୍ସରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କର ପ୍ରମୋଶନ ହୋଇଛି । ସେ ସେଲ୍ସ ମ୍ୟାନେଜର ହୋଇଛନ୍ତି । ବିଗତ ୮୪ ବର୍ଷ ହେଲା ସେ ଏହି କଂପାନୀରେ କାମ କରୁଛନ୍ତି । ନିକଟରେ ସେ ପରିବାର ଲୋକଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି । ଏଥି ସହିତ ସେ ପ୍ରତିଦିନ ଅଫିସ ଯାଉଛନ୍ତି । ସ୍ୱାଭାବିକ ଭାବେ ସେ ନିଜ ଜୀବନକୁ ଉପଭୋଗ କରୁଛନ୍ତି |

Related Posts