ମୁମ୍ଵାଇ :ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଆମେରିକାର ଓହିଓ ବାସିନ୍ଦା ଜଣେ ୧୦୦ ବର୍ଷୀୟ ବୃଦ୍ଧ। ସେ ଏବେବି ଡାକ୍ତରୀ ଅଭ୍ୟାସ ଜାରି ରଖିଛନ୍ତି । କ୍ଲିଭ୍‌ଲ୍ୟାଣ୍ଡ ବାସିନ୍ଦା ଡା. ହାୱାର୍ଡ ଟକର୍‌ କହିଛନ୍ତି, ଆଗକୁ ଅବସର ଗ୍ରହଣ କରିବାର ତାଙ୍କର କୌଣସି ଯୋଜନା ନାହିଁ । ୨୦୨୧ ମସିହା, ଫେବ୍ରୁଆରୀ ମାସରେ ୯୮ ବର୍ଷ ୨୩୧ ଦିନର ହୋଇଥିବା ଡା. ହାୱାର୍ଡ ଏବେ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏବେ ବି ସେ ପୂର୍ଣ୍ଣକାଳୀନ ଡ୍ୟୁଟି (ସକାଳ ୯ଟାରୁ ସନ୍ଧ୍ୟା ୬ଟା) କରୁଛନ୍ତି । ସେ ଜଣେ ନ୍ୟୁରୋଲୋଜିଷ୍ଟ ।

ଗତ ଜୁଲାଇ ମାସରେ ୧୦୦ତମ ଜନ୍ମଦିନ ପରେ ସେ କୋଭିଡ୍‌-୧୯ ସଂକ୍ରମଣର ଶିକାର ହୋଇଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଥିଲେ ମଧ୍ୟ ନିଜର ବାସିନ୍ଦାମାନଙ୍କୁ ପଢ଼ାଇବାରେ କୋଭିଡ୍‌ ତାଙ୍କ ମାର୍ଗରେ ବାଧକ ହୋଇପାରି ନ ଥିଲା । ଗିନିଜ୍‌ ବିଶ୍ୱ ରେକର୍ଡକୁ ସେ ଦୀର୍ଘ, ସନ୍ତୋଷଜନକ ଓ ସୁଖୀ ଜୀବନରେ ଅନ୍ୟ ଏକ କୃତିତ୍ୱର ସମ୍ମାନ ବୋଲି କହିଛନ୍ତି । ହାୱାର୍ଡଙ୍କ ପତ୍ନୀ ୮୯ ବର୍ଷୀୟ ସ୍ୟୁ ମଧ୍ୟ ଜଣେ ସାଇକୋଆନାଲିସିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି

ହାୱାର୍ଡ କହନ୍ତି ‘ଅବସର ନେବା ହେଉଛି ଦୀର୍ଘ ଜୀବନର ଶତ୍ରୁ । ଯୁବ ବୟସରେ ମଧ୍ୟ ମୁଁ କେବେ ଅବସର ନେବା ବିଷୟରେ ଚିନ୍ତା କରିନଥିଲି । ତୁମେ ଯାହା କରୁଛ, ତାକୁ ଯଦି ଭଲପାଉଛ ଏବଂ ଏବେ ବି ତାହା କରିବାରେ ସକ୍ଷମ, ତେବେ ଅବସର ନେବାକୁ କାହିଁକି ଚାହୁଁଛ?’ ୧୯୨୨ ମସିହା, ଜୁଲାଇ ୧୦ ତାରିଖରେ ଜନ୍ମିତ ହାୱାର୍ଡ ୨ୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ନୌସେନାରେ ଭର୍ତ୍ତି ହୋଇଥିଲେ । ୧୯୫୦ ମସିହାର କୋରିଆ ଯୁଦ୍ଧରେ ନ୍ୟୁରୋଲୋଜି ମୁଖ୍ୟ ମଧ୍ୟ ଥିଲେ