ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ସାମିଲ ହେବେ ଗୁପକାର ଗଠବନ୍ଧନ ନେତା : ଫାରୁକ୍ ଅବଦୁଲ୍ଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ଜୁନ୍ ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ ଗୁପକାର ଗଠବନ୍ଧନର ନେତା। ଆଜି ଏ ନେଇ ସୂଚନା ଦେଇଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା । ମଙ୍ଗଳବାର ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ PAGD ନେତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ଅବଦୁଲ୍ଲା କହିଛନ୍ତି ଯେ ଜୁନ୍ 24 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ PAGDର ନେତାମାନେ ଯୋଗଦେବେ। ଏହି ସର୍ବଦଳୀୟ ବୈଠକ ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପାଖରେ ନିଜର ଦାବି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରର ମୁଖ୍ୟ ସ୍ରୋତର ରାଜନୈତିକ ଦଳର ନେତାମାନଙ୍କୁ ଜୁନ୍ ୨୪ ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପାଇଁ ଡକାଯାଇଛି। ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ସମେତ ରାଜନୈତିକ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ଏହା ଏକ ପଦକ୍ଷେପ ଭାବରେ ଦେଖାଯାଉଛି। ୨୦୧୯ ଅଗଷ୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। PAGD ଗଠବନ୍ଧନରେ ନ୍ୟାସନାଲ କନଫରେନ୍ସ , ପିଡିପି, ସିପିଏମ୍, ଆୱାମୀ ନ୍ୟାସନାଲ କନଫରେନ୍ସ, ସିପିଆଇ ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ଅନ୍ତର୍ଭୁକ୍ତ। ମଙ୍ଗଳବାର ଦିନ PAGD ଜଣେ ସଦସ୍ୟ ମୁଜାଫର ଶାହା କହିଛନ୍ତି ଯେ ଧାରା 370 ଏବଂ 35A କୌଣସି ପ୍ରକାର ବୁଝାମଣା ହେବ ନାହିଁ। ସୋମବାର ଦିନ ନ୍ୟାସନାଲ କନଫରେନ୍ସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଭଲଭାବେ ହୃଦୟଙ୍ଗମ କରିଛନ୍ତି ଯେ ଜମ୍ମୁ ଓ କଶ୍ମୀରର ମୁଖ୍ୟ ସ୍ରୋତର ରାଜନୈତିକ ଦଳ ବିନା ସେଠାରେ କାମ କରିବା ସମ୍ଭବ ନୁହେଁ । ନ୍ୟାସନାଲ କନଫରେନ୍ସ ଦଳର ନେତା ନାସିର ଅସଲମ ୱାନି କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଜମ୍ମୁ ଓ କଶ୍ମୀରରେ କୌଣସି ପରିବର୍ତ୍ତନ ହୋଇନାହିଁ। ସବୁଠାରୁ ଭଲ କଥା ହେଉଛି ସେମାନେ (କେନ୍ଦ୍ର ସରକାର) ହୃଦୟଙ୍ଗମ କରିଛନ୍ତି ଯେ ସ୍ଥାନୀୟ ମୁଖ୍ୟ ସ୍ରୋତର ପାର୍ଟି ବିନା ଏହା କାମ କରିବ ସମ୍ଭବ ନୁହେଁ। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଏକ ବୈଠକ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଜମ୍ମୁ ଓ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ପାଇଁ ଦଳ ଦାବି କରିବ। ଜାମ୍ମୁ କାଶ୍ମୀର ପାନ୍ଥର୍ସ ପାର୍ଟି ପ୍ରତିଷ୍ଠାତା ଭୀମ ସିଂ ମଧ୍ୟ କହିଛନ୍ତି ଯେ ସେ ଜୁନ୍ 24 ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବେ।

Related Posts