ଦେବେଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା, ନାଇସ କଂପାନୀ ବିରୁଦ୍ଧରେ ମାନହାନି ସୂଚକ ମନ୍ତବ୍ୟ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏକ କମ୍ପାନୀ ବିରୋଧରେ ଭିତ୍ତିହୀନ ମନ୍ତବ୍ୟ ଦେଇଥିବାରୁ ଦୁଇ କୋଟି ଟଙ୍କା ଜୋରିମାନା ଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚ୍ ଡି ଦେବ ଗୌଡା। ବେଙ୍ଗାଲୁରୁର ଏକ ଆଡିସନାଲ ସିଟି ସିଭିଲ୍ ଆଣ୍ଡ ସେସନ୍ କୋର୍ଟ ଦେବ ଗୌଡାଙ୍କୁ ନନ୍ଦୀ ଇନଫ୍ରାଷ୍ଟ୍ରକ୍ଚର କରିଡର ଏଣ୍ଟରପ୍ରାଇଜ୍ (NICE) ଲିମିଟେଡ୍ କୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୧ ମସିହାରେ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଦେବ ଗୌଡା ଦେଇଥିବା ବୟାନ ବିରୋଧରେ NICE ଏକ ମୋକଦ୍ଦମା ଦାୟର କରିଥିଲା। ସାକ୍ଷାତକାରରେ ଦେବ ଗୌଡା ଦେଇଥିବା ବିବୃତ୍ତି ଯୋଗୁଁ କମ୍ପାନୀ ଏହାର ଖ୍ୟାତି ହରାଇଥିବା ଅଭିଯୋଗରେ କମ୍ପାନୀ ୧୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲା । କମ୍ପାନୀ ଅଭିଯୋଗ କରିଥିଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନର କୌଣସି ପ୍ରମାଣ ନାହିଁ। ଅଦାଲତ କହିଛନ୍ତି ଯେ ଦେବ ଗୌଡା ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ବିବୃତ୍ତିକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ଦେବ ଗୌଡା NICE ବିରୋଧରେ ଯେଉଁ ଅଭିଯୋଗ କରିଥିଲେ ତାହା ପ୍ରମାଣିତ କରିବା ସେ କୋର୍ଟରେ କୌଣସି ଡକ୍ୟୁମେଣ୍ଟ ଉପସ୍ଥାପନ କରି ନାହାନ୍ତି । କୋର୍ଟ କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟ ଏବଂ ଆପେକ୍ସ କୋର୍ଟ ଅନେକ ରାୟରେ ଏହି ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି। ଭବିଷ୍ୟତରେ, ଯଦି ଏହିପରି ମାନହାନି ମକଦ୍ଦମାକୁ ଅନୁମତି ଦିଆଯାଏ, ତେବେ କର୍ଣ୍ଣାଟକ ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥରେ ନିଆଯାଇଥିବା ବୃହତ ପ୍ରକଳ୍ପ ପୂର୍ଣ୍ଣ ହେବାରେ ବିଳମ୍ବ ହେବ । ଏତଦ୍ ବ୍ୟତୀତ ଭବିଷ୍ୟତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡାଙ୍କୁ କୌଣସି ମିଡିଆ, ନ୍ୟୁଜ୍ ଚ୍ୟାନେଲ କିମ୍ବା ଅନ୍ୟ କୌଣସି ମାଧ୍ୟମରେ NICE ବିରୋଧରେ ଅପମାନଜନକ ବିବୃତ୍ତି ଦେବା ଉପରେ କୋର୍ଟ ବାରଣ କରିଛନ୍ତି।

Related Posts