(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଠଗଡ଼ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କୃଷି ଋଣ ଦୁର୍ନୀତି ଘଟଣା ଏବେ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଖୋଦ୍ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ଼ରେ ଏତେ ବଡ ଦୁର୍ନୀତି ଏବେ ବିଭାଗର ସ୍ୱଚ୍ଛତାକୁ ନେଇ ବିରାଟ ବଡ ପ୍ରଶ୍ନ ଚିହ୍ନ ଲଗାଇଛି। ଚାଷୀଙ୍କ ନାଁ ରେ କୋଟିକୋଟି ଟଙ୍କା ଚଳୁ କରିଥିବାର ଅଭିଯୋଗ ହୋଇଛି। ଖୋଦ ବିଭାଗୀୟ ଉପନିବନ୍ଧକ କଟକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଗୁରୁଡିଝାଟିଆ ପୁଲିସ ପ୍ରାୟ ୮ମାସ ପରେ ୭ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଏମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫାରେ ମାମଲା ରୁଜୁ ହୋଇଛି ବୋଲି ଚୌଦ୍ବାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି।
କ୍ଷତିଗ୍ରସ୍ତ ଚାଷୀମାନେ ଋଣ ନ ନେଇ ହନ୍ତସନ୍ତ ହେଉଛନ୍ତି। ସେମାନେ ଋଣ ନନେଇଥିବା ବେଳେ କାହା ନାଁରେ ୫୦ହଜାର ତ ଆଉ କାହା ନାଁରେ ଲକ୍ଷାଧିକ ଟଙ୍କାର ଋଣଭାର ଥିବା ଜଣାପଡିଛି। ତେବେ ଏତେ ଏତେ ଋଣ କେମିତି ଶୁଝିବେ ସେ ନେଇ ଚାଷୀଙ୍କ ଆଖିରେ ଆଉ ନିଦ ହେଉନାହିଁ। ଅଭିଯୋଗ ଅନୁଯାୟୀ ; ସମବାୟ ବିଭାଗ ଅନୁଧ୍ୟାନ କରି ୧କୋଟି ୯ଲକ୍ଷ ୫୦ ହଜାର ୨୮୦ ଟଙ୍କା ଆତ୍ମସାତ୍ ହୋଇଥିବାର ଥାନାରେ ଅଭିଯୋଗ କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ଋଣ ମହାଦୁର୍ନୀତିର ଚେର କେତେ ବ୍ୟାପକ।
କ୍ଷତିଗ୍ରସ୍ତ ଚାଷୀ ମାନେ ଏ ସମ୍ପର୍କରେ ସମବାୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ଫଳ ଶୁନ୍। ସମବାୟ ଋଣ ମହାଦୁର୍ନୀତି ମାମଲାରେ ମନ୍ତ୍ରୀ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି । ନିଜକୁ ଖଟିଖିଆ ଚାଷୀଙ୍କ ସାଥୀ ବୋଲି କହି ଡିଣ୍ଡିମ ପିଟୁଥିବା ମନ୍ତ୍ରୀ ରାଜା ସ୍ୱାଇଁ ଏତେ ବଡ ଦୁର୍ନୀତିକୁ ନେଇ ଚୁପ୍ ବସିଛନ୍ତି ।
ତେବେ ବିରୋଧୀ କିନ୍ତୁ ଏହି ମାମଲାରେ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲ୍ଲଭ ରଥ ପ୍ରଶ୍ନ କରିଛନ୍ତି ଯେ – ” ଦୁର୍ନୀତି ମୋ ପାଖ ମାଡିବ ନାହିଁ; କିନ୍ତୁ ନିଜ ବିଭାଗରେ ଏବଂ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ସମବାୟ ସମିତି ମହାଦୁର୍ନୀତି ଏହା କ’ଣ ତାଙ୍କ ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରୁନାହିଁ କି ?” ଏମିତିକି କ୍ଷତିଗ୍ରସ୍ତ କୃଷକ ମାନେ ମଧ୍ୟ ମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ” ଖୋଦ୍ ସମବାୟ ବିଭାଗର ମନ୍ତ୍ରୀ ଥାଉ ଥାଉ ଏତେ ବଡ଼ ଦୁର୍ନୀତି କଣ ତାଙ୍କ ବିଭାଗ ପ୍ରତି ଦୁର୍ନୀତିର ଛିଟା ନୁହେଁ କି ବୋଲି ପଚାରିଛନ୍ତି? ” ସବୁ ବେଳେ ନିଜକୁ ସଚ୍ଚୋଟ ବୋଲି କହୁଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କ’ଣ ପାଇଁ ଗଣମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା ଏତେ ବଡ଼ ସମବାୟ ସମିତି କୃଷିଋଣ ମହାଦୁର୍ନୀତି ସଂପର୍କରେ ମୁହଁ ଖୋଲୁନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
କଂଗ୍ରେସ ନେତା ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ,” ଜନତା ଭୋଟ ଦେଇ ବିଧାନସଭାକୁ ପଠାଇଛନ୍ତି। ୩୦ବର୍ଷରୁ ଊର୍ଦ୍ଧ୍ବ ସମୟ ବିଧାୟକ ହେବା ପାଇଁ ସ୍ଥାନୀୟ ଜନସାଧାରଣ ଆଶୀର୍ବାଦ ଦେଇଛନ୍ତି । ହେଲେ ପ୍ରତିବଦଳରେ ଗରିବ ଖଟିଖିଆ କୃଷକଙ୍କ ନାମରେ ଋଣ ଆତ୍ମସାତ। ଏହା ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କିଭଳି ବ୍ୟଥିତ କରୁନାହିଁ ବୋଲି ଶ୍ରୀ ରଥ ପ୍ରଶ୍ନ କରିଛନ୍ତି ? “
କେବଳ ସେତିକି ନୁହେଁ; ନିଜ ଭାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବାବେଳେ ବିଧାୟକ ରାଜା ସ୍ୱାଇଁ ସମବାୟ ବିଭାଗର ମନ୍ତ୍ରୀ ଅଟନ୍ତି। ଏଭଳି ସ୍ଥିତିରେ ପ୍ରାଥମିକ ସେବା ସମବାୟ ସମିତିରୁ କୋଟି କୋଟି ଟଙ୍କା ମହାଦୁର୍ନୀତି ହେଉଛି ବିଡମ୍ବନାର ବିଷୟ। କଣ ପାଇଁ ଆଠଗଡ଼ ଅଞ୍ଚଳର ସମସ୍ତ ସେବା ସମବାୟ ସମିତିର ଋଣ ଗ୍ରହୀତାଙ୍କ ତାଲିକା ପ୍ରକାଶ କରାଯାଉନାହିଁ। ମନ୍ତ୍ରୀ କାହିଁକି କୃଷକଙ୍କ ଅଭିଯୋଗର ଉତ୍ତର ରଖୁ ନାହାନ୍ତି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ମନ୍ତ୍ରୀଙ୍କ ଏହି ନୀରବତା କ୍ଷତିଗ୍ରସ୍ତ କୃଷକଙ୍କ ଅଭିଯୋଗକୁ ସଠିକ୍ ଢଙ୍ଗରେ ସାମ୍ନା ନ କରିବା ପଛରେ ଅଣ୍ଟି ପୋଡ଼ିଯିବାର ଭୟ ନୁହେଁ ତ ? ଏହା ପୂର୍ବରୁ ମଧ୍ୟ ସମବାୟ ବିଭାଗର ଅଖା କିଣା ଦୁର୍ନୀତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିବାବେଳେ ଏନେଇ ତଦନ୍ତର ଶିଥିଳତା ମଧ୍ୟ ମନ୍ତ୍ରୀଙ୍କ ସାଧୁତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।