ନୂଆଦିଲ୍ଲୀ: ଭାରତୀୟଙ୍କୁ ଏଚ-1ବି ଭିସାର ଫିକୁ ବଢାଇ ଦେଇ ଆଉ ଏକ ଝଟକା ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫଳରେ ଭାରତୀୟଙ୍କ ଆମେରିକା ଗସ୍ତ ନେଇ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ସ୍ୱପ୍ନରେ ରହିଯିବା ଭଳି ଏବେ ମନେ ହେଉଛି। ୫୦ ପ୍ରତିଶତ ଟାରିଫ ବିବାଦ ମଧ୍ୟରେ ଏହି ଫିସକୁ ବୃଦ୍ଧି କରି ଭାରତକୁ ଆଉ ଏକ ଶକ୍ତ ଝଟକା ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ ପ୍ରଶାସନ ଏଚ-1ବି ଭିସା ପାଇଁ ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ ନିୟମ ଅନୁସାରେ ନୂତନ H-IB ଭିସା ଆବେଦନକାରୀଙ୍କୁ ଏବେ ୧ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୮୮ ଲକ୍ଷ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନୂତନ ନିଷ୍ପତ୍ତି ଭାରତୀୟମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ। କାରଣ ପ୍ରାୟ ୭୦ ପ୍ରତିଶତ ଏଚ-1ବି ଭିସା ଧାରକ ଭାରତୀୟ।

କାହିଁକି ବଢାଇଲେ ଫିସ?
ହ୍ୱାଇଟ ହାଉସର ମିଡିଆ ସଚିବ କ୍ୟାରୋଲି ଲେଭିଟ କହିଛନ୍ତି କି ଏଚ-1ବି ଭିସା ଫି ବୃଦ୍ଧି ନିଷ୍ପତ୍ତି ଆସନ୍ତା କାଲି ଅର୍ଥାତ ୨୧ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି ଟ୍ରମ୍ପ ଏକ ବ୍ୟାପକ ପ୍ରବାସୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଫଳରେ ଆମେରିକାରେ ପ୍ରବାସୀଙ୍କ ସଂଖ୍ୟାକୁ ସୀମିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଆମେରିକାରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ H-1B ଭିସା ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ H-1B ଅପବ୍ୟବହାରକୁ ରୋକିବା ଏବଂ ଆମେରିକୀୟମାନଙ୍କ ପାଇଁ ଆମେରିକୀୟ ଚାକିରିକୁ ସୁରକ୍ଷା ଦେବା ପାଇଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ନେଇଛନ୍ତି ବୋଲି ସେ କହିଛନ୍ତି।

ଏହି ନିଷ୍ପତ୍ତିରେ କେଉଁମାନେ ଗୁରୁତର ଭାରେ ପ୍ରଭାବିତ ହେବେ?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ H-1B ଭିସା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଆମେରିକାର ଟେକ୍ନୋଲୋଜି ଶିଳ୍ପକୁ ସବୁଠାରୁ ଅଧିକ ପ୍ରଭାବିତ କରିବ। କାରଣ Amazon, Microsoft, Apple ଏବଂ Google ଭଳି କମ୍ପାନୀଗୁଡ଼ିକ ଏଚ-1ବି ଭିସା ଧାରକଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। ତେଣୁ ଏଚ-1ବି ଭିସା ଧାରକଙ୍କ ଉପରେ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଏହି କମ୍ପାନୀଗୁଡ଼ିକୁ ଏବେ ଆମେରିକା ଭିତରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଖୋଜିବାକୁ ହେବ। ଟ୍ରମ୍ପଙ୍କ ନିଷ୍ପତ୍ତି ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ବିଶେଷ ପ୍ରଭାବିତ କରିବ ନାହିଁ, ଛୋଟ ଟେକ୍ନୋଲୋଜି ଫାର୍ମ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେବେ କାରଣ ସେମାନଙ୍କର ବ୍ୟୟ ବୃଦ୍ଧି ପାଇବ।

ଫିସ ବୃଦ୍ଧି ନିଷ୍ପତ୍ତିରେ ଆମେରିକାକୁ ମିଳିବ ବଡ଼ ଲାଭ
ଏଚ-1ବି ଭିସା ଫିସ ବୃଦ୍ଧି ଫଳରେ ଅଣ-ପ୍ରବାସୀ ଶ୍ରମିକଙ୍କୁ ଆମେରିକାରେ ପ୍ରବେଶରେ ଟ୍ରମ୍ପ ସରକାର ରୋକ ଲଗାଇବାରେ ସଫଳ ହେବେ। ଆମେରିକାରେ ପ୍ରବାସୀ ଏବଂ ଅବୈଧ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇବ। ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ଏବେ ଏଚ-1ବି ଭିସା ଧାରକଙ୍କୁ ନିଯୁକ୍ତି ଦେବାକୁ ସଂକୋଚ କରିବେ। କାରଣ ସେମାନଙ୍କୁ ଟ୍ରମ୍ପ ପ୍ରଶାସନକୁ ୧ ଲକ୍ଷ ଡଲାରର ଫିସ ଦେବାକୁ ହେବ। ତେଣୁ ସେମାନେ ଜଣେ କର୍ମଚାରୀଙ୍କ ପାଇଁ ଏପରି ଫି ଦେବା ଅପେକ୍ଷା ଆମେରିକୀୟ ବୃତ୍ତିଗତମାନଙ୍କୁ ନିଯୁକ୍ତି ଦେବାକୁ ପସନ୍ଦ କରିବେ। କାରଣ ସେମାନେ ଜଣେ ଏଚ-1ବି ଭିସା ଧାରକଙ୍କ ପାଇଁ ଖର୍ଚ୍ଚ କରୁଥିବା ସମାନ ପରିମାଣରେ ଅନେକ ଅଧିକ ବୃତ୍ତିଗତଙ୍କୁ ନିଯୁକ୍ତି ଦେଇପାରିବେ।

ଭାରତୀୟଙ୍କ ଉପରେ କଣ ରହିବ ପ୍ରଭାବ?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଚ-1ବି ଭିସା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଭାରତୀୟମାନଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇବ। କାରଣ ସମସ୍ତ ଏଚ-1ବି ଭିସା ଧାରକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଭାରତୀୟ। ଫଳରେ ଆମେରିକା ସ୍ୱପ୍ନ ଦେଖୁଥିବା ମଧ୍ୟ ବର୍ଗର ଭାରତୀୟଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଜା ସଦୃଶ ହେବ। ସେହିପରି ଅନେକ ଭାରତୀୟ ଆଇଟି କମ୍ପାନୀ ଏବଂ ଆମେରିକୀୟ କମ୍ପାନୀ ଭିସା ଫି ଦିଅନ୍ତି। କିନ୍ତୁ ଛୋଟ କମ୍ପାନୀ କିମ୍ବା ଷ୍ଟାର୍ଟ-ଅପ୍ ଦିଅନ୍ତି ନାହିଁ, ଯାହା ଭାରତୀୟ ଆବେଦନକାରୀଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି କରିବ। ଏଫ-1 ଭିସାରେ ଆମେରିକାରେ ପାଠପଢ଼ିବା ପରେ ଏ-1ବି ଭିସା ପାଇଁ ଆବେଦନ କରୁଥିବା ଭାରତୀୟ ଛାତ୍ରମାନେ ଏହି ଫି ବୃଦ୍ଧି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ। ଆମେରିକାରେ ପାଠପଢ଼ିବା ସମୟରେ ଭାରତୀୟମାନଙ୍କ ପାଇଁ ଚାକିରି ଖୋଜିବା ଆହୁରି କଷ୍ଟକର ହୋଇଯିବ। କାରଣ ଏଚ-1ବି ଫି ବୃଦ୍ଧି କମ୍ପାନୀଗୁଡ଼ିକୁ ଭାରତୀୟମାନଙ୍କୁ ନିଯୁକ୍ତି ଦେବାରୁ ନିବୃତ୍ତ କରିବ।